Odiapua.com

ସାଧନା ସାହିତ୍ୟ ଏକାଡେମୀର କବିତା ପାଠୋତ୍ସବ ଓ ପୁସ୍ତକ ଲୋକାର୍ପଣ

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟସ୍ତରୀୟ ସାହିତ୍ୟ, ସଂସ୍କୃତି, ସେବା ଓ ସମନ୍ୱୟର ପରିଚ୍ଛଦ ଭବେ ଗଢି ଉଠିଥିବା ସାଧନା ସାହିତ୍ୟ ଏକାଡେମୀର ମାସିକ କବିତା ପାଠୋତ୍ସବ ଭଦ୍ରକ କୁଆଁସସ୍ଥିତ ସାଧନା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଂଯୋଜନାରେ ଇଂ ଅଭୟ ସୂତାର ସଭାପତିତ୍ୱ କରିଥିଲେ । ଏହି କବିତା ପାଠୋତ୍ସବ ଅବସରରେ ଭଦ୍ରକର ଆଦର୍ଶ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ଲିଖିତ ସ୍ମୃତି ଓ ସାନ୍ତ୍ୱନା ପୁସ୍ତକକୁ ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଉନ୍ମୋଚନ କରି ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ଏହା ଏକ ଅମୂଲ୍ୟ ରତ୍ନ ତଥା ସାରସ୍ୱତ ସାଧନାର ଏହା ଆଉ ଏକ ଅଂକୁରଦମ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ଗୀତାରାଣ ଆଇଚ, ଡ. ମମତା ସାହୁ, ରାମଚନ୍ଦ୍ର ସାହୁ, ଶଚିକାନ୍ତ ପଣ୍ଡା, ଶରତ ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ସାଧନାରେ କବିତା ପୁସ୍ତକର ଆବଶ୍ୟକତା ଓ ସମାଜକୁ ଦିଗ୍‌ଦର୍ଶନ ଦେବାରେ କବିତାର ଭୂମିକା ସଂପର୍କରେ କହିଥିଲେ । ଏହାପରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୁଖ୍ୟବକ୍ତା ଭାବେ କବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଯୋଗଦେଇ ବର୍ତ୍ତମାନର କରୋନା ଭଳି ମହାମାରୀ ସମୟରେ ସଚେତନ ରହି ସାମାଜିକ ଦୂରତ୍ୱା ବଜାୟ ରଖି ସମସ୍ତ କାର୍ଯ୍ୟକ୍ରମ କରିବା ଉଚିତ୍ ବୋଲି କହିବା କାଳରେ ସମାଜରେ ଗୀତି କବିତାର ଆବଶ୍ୟକତା ଓ ସଚେତନତା ସଂପର୍କରେ ଅବଗତ କରାଇଥିଲେ । ଏହି କବିତା ପାଠୋତ୍ସବରେ ସାମ୍ବାଦିକ ଜ୍ଞାନପ୍ରକାଶ ପାଣି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ସମାଜକୁ କବିତାର ଅବଦାନ ସଂପର୍କରେ ଆଲୋଚନା କରିବା ସହ ସମାଜରୁ କୁସଂସ୍କାର କିପରି ଦୂରେଇଯିବ, ସେ ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବସ୍ମିତା ମହାନ୍ତି, ପ୍ରାଚୀଲିପ୍ସା ମହାନ୍ତି, ସେକ୍ ଅବଦୁଲ ଦୟାନ, ଶ୍ରଦ୍ଧାଞ୍ଜଳି ମିଶ୍ର, ଦେବଦତ୍ତ ପଣ୍ଡା, ମହମ୍ମଦ ଅଲ୍ଲୀ ସବର, ଜାନକୀ ପାଢୀ, ବସନ୍ତ କୁମାର ପାତ୍ର, ରଶ୍ମିତା ଦାଶ, ଜ୍ୟୋସ୍ନାମୟୀ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶିକ୍ଷା ସଂଯୋଜିକା ତଥା ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଓ ଶିକ୍ଷୟିତ୍ରୀ ଜାନକୀ ପାଢୀ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ । ଏହି ଅବସରରେ ସାଧନା ସାହିତ୍ୟ ଏକାଡେମୀ ପକ୍ଷରୁ ପୁସ୍ତକର ସ୍ରଷ୍ଟା ଜ୍ୟୋସ୍ନାମୟୀ ପଣ୍ଡାଙ୍କୁ ବିଧାୟକ ଶ୍ରୀ ସେଠୀ ଓ ତାଙ୍କ ଧର୍ମପତ୍ନୀ ଶିକ୍ଷୟିତ୍ରୀ ଉର୍ମିଳା ପାଣିଗ୍ରାହୀ ଶିକ୍ଷା ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ । ଶେଷରେ ବିଜୟଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।