Odiapua.com

ସାଇ ଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଟଡିହୀ ବ୍ଲକ ସନ୍ନିକଟ ସଢ଼ା ଠାରେ ସାଇ ଚେତନା ସାହିତ୍ୟ ସଂସଦର ଏକାଦଶତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କବି କିର୍ତ୍ତନ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ମାନବିକ ମୁଲ୍ୟବୋଧର ଅବକ୍ଷୟ ଘଟୁଥିବା ସମୟରେ ପ୍ରାଚୀନ ସାହିତ୍ୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଦିଗଦର୍ଶକ ଭାବେ କାର୍ଯ୍ୟ କରେ ବୋଲି ସାଇ ଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଇଂ.ଅଭୟ ସୁତାର ତାଙ୍କ ବକ୍ତବ୍ୟରେ କହିଲେ, ପ୍ରାଚୀନ ଯୁଗରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ସନ୍ଥକବି ଭୀମ ଭୋଇ ଓ ରସକଲୋଳ କବି ଦିନକୃଷ୍ଣ ମଧ୍ୟ ଜୀବନର ଶେଷ ଭାଗରେ ରୋଗାକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ଲେଖନୀ ଚଳ ଚଞ୍ଚଳ ଥିଲା, ସେମାନେ ସମୟ ଉପଯୋଗୀ ସାହିତ୍ୟ ରଚନା କରିଥିବାରୁ ତାହା ଆଜି କାଳଜୟୀ ହୋଇଛି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ହାଟଡିହୀ ମହାବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ, ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି କବି ଡଃ ଅଶୋକ କୁମାର ପୁହାଣ, କବି ରତ୍ନାକର ଦାଶ ପ୍ରମୁଖ ଯୋଗ ଦେଇ ବସନ୍ତ ଆଗମନରେ ପ୍ରକୃତିର ପରିବେଶ ଓ ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ଏହି ପରି ସାହିତ୍ୟ ଅନୁଷ୍ଠାନ ମାନଙ୍କ ଦ୍ୱାରା ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ସମ୍ଭାବନା’ ଓ କବି ଜଗନ୍ନାଥ ପାତ୍ର ଙ୍କ ଲିଖିତ ନାଟକ ‘ଜାରଜ’ ପୁସ୍ତକ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ ଚର୍ତ୍ତୁଭୁଜ ପହୀ ଅତିଥି ପରିଚୟ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ଉଦ୍ଦେଶ୍ୟ ଜ୍ଞାପନ ଓ ଶେଷରେ ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜଗନ୍ନାଥ ପାତ୍ର, ରତ୍ନାକର ଦାସ, ଅମୁଲ୍ୟ କୁମାର ମିଶ୍ର, ଦାଶରଥି ଜେନା ଓ ଅରୁଣ କୁମାର ଜେନାଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସକାଳେ କବି ରମାକାନ୍ତ ଜେନା ଓ ଦାଶରଥି ଜେନାଙ୍କ ସଂଯୋଜନାରେ ସ୍ୱରଚିତ କବିତା ପାଠରେ ବିଦ୍ୟୁତ୍ ପ୍ରଭା ଦେଓ, ସୁବୋଧ କୁମାର ସାହୁ,କବି ଭାଷ୍କର ଚନ୍ଦ୍ର ପାଢ଼ୀ, ଗଣେଷ ପ୍ରସାଦ କର ଶର୍ମା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅଭୟ ସାମଲ, ମୋହନ କୁମାର ମହାନ୍ତି, ମୁରଲି ଧର ବେହେରା, ଅନନ୍ତ ମୁଦୁଲି, ସରଳା ମହାପାତ୍ର, ସଙ୍ଖାଳି ଚରଣ ରାଉଳ, ନରହରୀ ସେନାପତି, ଶରତ କୁମାର ରାଉତ, ସୁଦାମ ଜେନା, ହେମନ୍ତ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।