Odiapua.com

ସାଂସ୍କୃତିକ ମୁଖଶାଳା ହେବ ଚରମ୍ପା, ଓଏସ୍‌ଆରଟିସି ପଡିଆରେ ହେବ ଭଦ୍ରାୟଣୀ ଓ ପଲ୍ଲିଶ୍ରୀ ମେଳା

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିକାଶର ସେତୁ ସାଜିବ ଚରମ୍ପା। ସଂସ୍କୃତି ସମ୍ପନ୍ନ ଭଦ୍ରକ ଜିଲାର ସାଂସ୍କୃତିକ ମୁଖଶାଳା ହେବ ଚରମ୍ପା ଓଏସଆରଟିସି ପଡିଆ। ପାଖାପାଖି ସାଢେ ୩ ଏକର ଜାଗାରୁ ଏବେ ଜବରଦଖଲ ହଟିଛି। ଜିଲା ପ୍ରଶାସନ ଏହି ପଡିଆ ପରିସରରେ ଥିବା ୬୦ ରୁ ଅଧିକ ଦୋକାନ ଗୃହକୁ ହଟାଇଛି। ଏବେ ପାଚେରୀ ପାଇଁ ୭୦ ଲକ୍ଷ ଟଙ୍କାର ଟେଣ୍ଡର ହେଉଛି। ଏହି କାର୍ଯ୍ୟ ପରେ ପଡିଆ ଉନ୍ନତି କରାଯିବ। ସେଇଠି ହେବ ସରକାରୀ କାର୍ଯ୍ୟକ୍ରମ। ବିଭିନ୍ନ ସମୟରେ ସରକାରୀ ସ୍ତରରେ ହେଉଥିବା ମେଳା, ଉତ୍ସବ ଓ ମହୋତ୍ସବ ଆଦି ଏଇଠି ହେବ। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧୀନରେ ଥିବା ଏହି ମୂଲ୍ୟବାନ ଜମି ଉପରେ ଏବେ ପ୍ରଶାସନ ନଜର ଆଣିଛି। ନିଗମ ମାଲିକାନା ରହି ନିଜ ହେପାଜତରେ ପରିଚାଳନା ଭାର ନେବାକୁ ଜିଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନରେ ଏହି ପଡିଆ ପରଚାଳନା ଭାର ରହିବା ନେଇ ଓଏସ୍‌ଆରଟିସି ସହ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଛି। ଜାତୀୟ ରାଜପଥ ପାଶ୍ୱର୍ ସମ୍ମୁଖ ଭାଗ ଓ ଚରମ୍ପା ଫିଡର ରାସ୍ତାର ପାଶ୍ୱର୍ରେ କିଛି ବାଣିଜ୍ୟ ଭିତିକ ସ୍ଥାୟୀ ଷ୍ଟଲ କରାଯିବ। କିଛି ବ୍ୟବସାୟ ଥଇଥାନ ହେବେ। ଏହାର ଆଦାୟ ରାଜସ୍ୱ ଆରଏମ୍‌ସି ଦ୍ୱାରା ନିଗମକୁ ପୈଠ ହେବା ନେଇ ଚୁକ୍ତି ପିକ୍ରିୟା ବଳବତର ରହିଛି। ବିଶାଳ ଅଂଚଳ ଭାବେ ପୁନଶ୍ଚ ଆବିଷ୍କାର ହୋଇଛି ଓଏସଆରଟିସି ପଡିଆ। ଭଦ୍ରକ ସହରର ଚରମ୍ପା ଅଂଚଳର ଏହି ସ୍ଥାନକୁ ଯିଏ ଦେଖୁଛି, ଆଖି ଝଲସୁଛି। ଉଚ୍ଛେଦ ପରେ ଏତେ ପରିମାଣରେ ଜମି ମୁକୁଳାଇବାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ଚଳିତବର୍ଷ ଜିଲା ପ୍ରଶାସନ ଦ୍ୱାରା ହେଉଥିବା ଭଦ୍ରାୟଣୀ ମହୋତ୍ସବ ଉକ୍ତ ପଡିଆରେ ହେବା ନେଇ ନିଷ୍ପତି ହୋଇଛି। ଆଜି ଏହି ପଡିଆକୁ ଜିଲାପାଳ ଦିଲ୍ଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଡିଆଇବି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ଉପଜିଲାପାଳ ଓ ଅନ୍ୟାନ୍ୟ ପଦାଧିକାରୀ ବୁଲି ଦେଖିଛନ୍ତି। ପଡିଆର ନିର୍ମାଣ ଓ ମରାମତି କାର୍ଯ୍ୟ ଏକ ଘରୋଇ ଏଜେନ୍ସିକୁ ଦିଆଯାଇଛି। ସମତୁଲ ପରେ ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରାୟଣୀ ସମେତ ଜିଲା ମହୋତ୍ସବ, ସ୍ୱଦେଶୀ ମେଳା, ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା ଆଦି ଆୟୋଜିତ ହେବ ବୋଲି ଜିଲାପାଳ ଶ୍ରୀ ରାଉତରାଏ ସୂଚନା ଦେଇଛନ୍ତି। ଭଦ୍ରକ ସହରରେ ମେଳା ମହୋତ୍ସବ, ପ୍ରଦର୍ଶନୀ ଆଦି କାର୍ଯ୍ୟକମ ହେବା ନେଇ ସ୍ଥାନର ଅଭାବ ଲାଗି ରହିଥିଲା। ନେହେରୁ ଷ୍ଟାଡିୟମ୍ କ୍ରୀଡା ବିଭାଗ ଅଧୀନକୁ ଯିବା ପରେ ସେଠାରେ କୌଣସି ଅନ୍ୟ କାର୍ଯ୍ୟକ୍ରମ ହେବା ନେଇ ଏବେ ପ୍ରତିବନ୍ଧକ ଲାଗିଛି। ଏଣୁ ପ୍ରଶାସନିକ ସ୍ତରରେ ବାଣିଜ୍ୟ ମେଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦର୍ଶନୀ ନେଇ ଜାଗା ମିଳୁନଥିବା ବେଳେ ଏବେ ଓଏସଆରଟିସି ପଡିଆ ନୂଆ ଠିକଣା ହୋଇଛି।