Odiapua.com

ସାଂସଦ ବସନ୍ତ ପଣ୍ଡାଙ୍କ ଚା’ଖଟି ପ୍ରଚାରକୁ ସମର୍ଥନ

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ରାଜ୍ୟସ୍ତରୀୟ ନେତାଙ୍କର ଆଜି ଚା’ଖଟି ପ୍ରଚାର ଜନସାଧାରଣଙ୍କୁ ବେଶ୍ ପ୍ରଭାବିତ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ପଣ୍ଡାଙ୍କ ସମେତ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ପ୍ରମୁଖ ସକାଳେ ସକାଳେ ଆଜି ବାଲେଶ୍ୱର ସହରର ଆନନ୍ଦବଜାର ଅଞ୍ଚଳର ଚା’ଖଟି ଓ ରାସ୍ତାପାର୍ଶ୍ୱ ଦୋକାନୀ ତଥା ଲୋକଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବାଲେଶ୍ୱର ପୌରପାଳିକାର ବିଫଳତା ସମ୍ପର୍କରେ ଲୋକଙ୍କଠାରୁ ଶୁଣିବା ସେମାନେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ୧୦ ତାରିଖର ଶୁଭଦିନକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତଙ୍କ ସହଯୋଗରେ ମାନସ ଦତ୍ତ ବିଜୟୀ ହେବା ପରେ ପୌରାଞ୍ଚଳର ରାସ୍ତା ପାର୍ଶ୍ୱ ଦୋକାନୀଙ୍କ ସମେତ ବସ୍ତି ବାସିନ୍ଦା ଓ ଅବହେଳିତ ଲୋକଙ୍କ ସମସ୍ୟା ସମାଧାନକୁ ସେ ପ୍ରାଥମିକତା ଦେବ ବୋଲି ବିଜେପି ନେତାମାନେ କହିଥିଲେ। ଆନନ୍ଦ ବଜାରଛକରୁ ରାସ୍ତାପାର୍ଶ୍ୱ ଲୋକଙ୍କ ସହ କଥା ହୋଇ ତଥା ମାନସଙ୍କ ପାଇଁ ଭୋଟଭିକ୍ଷା କରି ସେମାନେ ଅରଡ଼ବଜାର ପର୍ଯ୍ୟନ୍ତ ଯାଇଥିଲେ। ସେମାନଙ୍କ ସହ କିଛି ଦଳୀୟ କର୍ମୀଙ୍କ ସମେତ ବହୁ ସାଧାରଣ ଲୋକେ ଯାଉଥିବା ଲକ୍ଷ୍ୟ କରାଯାଇଥିଲା।