ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଂସଦଙ୍କ ପ୍ରଚେଷ୍ଟା ଆଜି ଫଳପ୍ରଦ ହେବାକୁ ଯାଉଛି। ସାଂସଦ ଅଭିମନ୍ୟୁ ସେଠୀ ଜାତୀୟ ରାଜପଥ ରେ ଯାଉଥିଲା ବେଳେ ଜଣେ ବୃଦ୍ଧା ମାଆଟିଏ ଗୋଟିଏ ଛୋଟ ପିଲାକୁ ଧରି ଜାତୀୟ ରାଜପଥ ଉପରେ ଗେଲପୁର ପଟୁ ବ୍ୟସ୍ତବହୁଳ ରାଜପଥ ଅତିକ୍ରମ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଡ଼କୁ ଯାଉଥିବାର ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ପରେ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଯଥାଶୀଘ୍ର ସେଠାରେ ଏକ ପାଦଚଲା ପୋଲ ନିର୍ମାଣ ପାଇଁ ନିବେଦନ କରିଥିଲେ। ଆଜି କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ଅନୁମୋଦନ ପ୍ରାପ୍ତ ହେବା ସହିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଚିଠି ରେ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୨କୋଟି ୩୦ଲକ୍ଷ ୧୭ହଜାର ୪ଶହ ୬୮ଟଙ୍କା ମଞ୍ଜୁର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟ ଆସନ୍ତା ୬ମାସ ମଧ୍ୟରେ ସମାପ୍ତ ହେବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ଅବଧି ରଖାଯାଇଛି। ସେହିପରି ନଳାଙ୍ଗ ଚିଙ୍ଗିଡିପୁରଠାରେ ଅନ୍ୟ ଗୋଟିଏ ପାଦଚଲା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ନେହେରୁ ଷ୍ଟାଡିୟମ ଠାରେ ଅନ୍ୟ ଗୋଟିଏ ପାଦଚଲା ପୋଲ ନିର୍ମାଣ ପାଇଁ ଅନୁରୋଧ ରଖାଯାଇଛି। ଏହି ମୁଖ୍ୟ ସମସ୍ୟାଟି ସମାଧାନ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତରଫରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଜୀ ଓ ସାଂସଦ ଲୋକସଭା ଭଦ୍ରକ ଶ୍ରୀ ସେଠୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।