Odiapua.com

ସହୀଦ ଭଗତ ସେନାର ୫ ଅକ୍ସିଜେନ୍ ମେସିନ୍ ଫେରାଇ ଜିଲାପାଳ ଚର୍ଚ୍ଚାରେ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଭୂତାଣୁର ଭୟ ଏବେ ମଣିଷ ଜାତିକୁ ଘାରିଛି । ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଠିକ୍ ସମୟରେ ନା ମିଳୁଛି ଅକ୍ସିଜେନ୍‌, ନା ଟୀକାକେନ୍ଦ୍ରରେ ଭିଡ କମୁଛି । ଏମିତିକି ଟୀକା ବି ଏବେ ମିଳୁନାହିଁ । ଏଥିପାଇଁ ଲୋକେ ପୋକମାଛି ଭଳି ମରିବାକୁ ଲାଗିଲେଣି । ଏହି ରୋଗ ହେଲେ ହସ୍‌ପିଟାଲରେ ବି ବେଡ୍ ମିଳୁନାହିଁ । ରୋଗୀ ବାରଣ୍ଡାରେ ଶୋଇ ତାର ଜୀବନ ଯାଉଛି । ଏଭଳି ଜୀବନ କେବଳ ଜଣେ ସାଧାରଣ ଲୋକଟିକୁ ଭୋଗିବାକୁ ପଡୁଛି । ଏ ସବୁର ନିରାକରଣ ଦିଗରେ କେହି ଦୟାବାନ୍ ଲୋକଟିଏ ଯଦି କିଛି ସହାୟତାର ହାତ ବଢାଏ, ତେବେ ତାକୁ ସମାଜ ସ୍ୱାଗତ କରେ । ମାତ୍ର ଭଦ୍ରକରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଘଟଣାଟି ଏହିଭଳି । ଏହି ରୋଗର ନିରାକରଣ ଦିଗରେ ଅକ୍ସିଜେନ୍ ଏବେ ଏକମାତ୍ର ଅମୃତତୁଲ୍ୟ ହୋଇଥିବାବେଳେ ଭଦ୍ରକର ଅଗ୍ରଣୀ ସାମାଜିକ ସଂଗଠନ ସହୀଦ ଭଗତ ସେନା ପକ୍ଷରୁ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ୫ଟି ଅକ୍ସିଜେନ୍ ମେସିନ୍ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଡ. ଜ୍ଞାନ ଦାସଙ୍କ ଜରିଆରେ ପ୍ରଦାନ କରିବାକୁ କର୍ମକର୍ତ୍ତାମାନେ ଆସିଥିଲେ । କିନ୍ତୁ ଜିଲାପାଳ ଡ. ଦାସ ‘ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଅଛି ବୋଲି କହି ସମସ୍ତ ଅକ୍ସିଜେନ୍‌କୁ ଫେରାଇ ଦେଇଥିଲେ ।’ ଫଳରେ ବାଧ୍ୟହୋଇ ଉକ୍ତ ସଂଗଠନ ସେଗୁଡିକୁ ଫେରାଇ ନେଇଥିଲେ । ଯାହାକି ଏହି ବିଷୟଟି ସହରରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଜିଲା ପ୍ରଶାସନ ପାଖରେ ଏମିତି କେତେ ଅକ୍ସିଜେନ୍ ମେସିନ୍ ଅଛି ଯେ ଆଉ ୫ଟି ମେସିନ୍ ରଖିଥିଲେ, ସେ ସବୁ ପଚି ଯାଇଥାନ୍ତା ।