Odiapua.com

‘ସହି ହେଉନାହିଁ କି କହି ହେଉନାହିଁ’- ପୌର କର୍ମଚାରୀ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଭଦ୍ରକ ପୌରପାଳିକା ଗତ କିଛିଦିନ ହେବ ବିବାଦରେ ଛନ୍ଦିହୋଇ ଚର୍ଚ୍ଚାରେ ରହିଥିବାବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ କିଛି ହିତାଧିକାରୀ ଓ ପାରିଷଦ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଭତ୍ତାକୁ ଅନଲାଇନରେ ମାଧ୍ୟମରେ ବ୍ୟାଙ୍କକୁ ନପଠାଇ ସିଧାସଳଖ ହାତାହାତି ଦେବାକୁ ଦାବି କରିଥିଲେ। ଏହି ଦାବି ଜଣାଇବା ସମୟରେ କିଛି ଲୋକ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ସହିତ ଧମକ ମଧ୍ୟ ଦେଇଥିଲେ। ପରିସ୍ଥିତି ଏପରି ଉତ୍ପନ୍ନ ହୋଇଥିଲା ଯେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁଲିସ୍ ଡାକି ବାହାରକୁ ଆସିଥିଲେ। ଏହି ଖବର ଅନ୍ୟ କର୍ମଚାରୀମାନେ ଜାଣିବା ପରେ “ଆଉ ସହି ହେଉନି କିମ୍ବା କହି ବି ହେଉନି। ଏପରି ଅଶାନ୍ତି ଏବଂ ଅପ୍ରୀତିକର ପରିସ୍ଥିତିରେ ଆଉ କାର୍ଯ୍ୟ କରିହେବନି” ବୋଲି କହି ପୌର କର୍ମଚାରୀ ଅଫିସ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱଜି ହବିବ୍ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରତ୍ୟାହୃତ ହୋଇଛି।