Odiapua.com

ସହାୟତା ଅପେକ୍ଷାରେ ମା’ ଓ ପୁଅ, ଆଖିରୁ ଶୁଖୁନି ଲୁହ

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳର ୨୫ନଂ ୱାର୍ଡ ବାଙ୍କାବଜାର କାଗୁଆସାହିର ଦିନ ମଜୁରିଆ ରାଜେନ୍ଦ୍ର ଗୋଚ୍ଛାୟତ ଆଜି ନିଜର ପୁତ୍ର ପଣିଆକୁ ନିନ୍ଦୁଛି । ଏହି ବୟସରେ ସେ ୭୨ ବର୍ଷର ଯେଉଁ ବୁଢିବାକୁ ପୋଷୁଥାନ୍ତା, ସେହି ବୃଦ୍ଧା ମା’ ଆଜି ରୋଗଗ୍ରସ୍ତ ହୋଇ ଗୁରୁତର ପକ୍ଷାଘାତରେ ପୀଡିତ ପୁତ୍ରକୁ ସୁସ୍ଥ କରାଇନପାରି ଭାଗ୍ୟକୁ ନିନ୍ଦୁଛି । ଏଭଳି ଏକ ଦୃଶ୍ୟକୁ ଦେଖିଲେ ଯେ କେହି ଲୋକର ଆଖିରେ ଲୁହ ଜକେଇ ଆସିବ । ଅତି ଅସହାୟ ଅବସ୍ଥା ଓ ଦୁର୍ଦ୍ଦଶା ଦେଇ ଚାଳ ଛପର ଘରେ ଜୀବନ ଯାପନ କରୁଛନ୍ତି ଅସୁସ୍ଥ ମା’ ଓ ରୋଗଗ୍ରସ୍ତ ପୁଅ । ଅର୍ଥ ଏବେ ପକ୍ଷାଘାତ ରୋଗରେ ପୀଡିତ ପୁତ୍ର ରାଜେନ୍ଦ୍ର ପାଇଁ ବାଧକ ହୋଇଛି । ୭୨ ବର୍ଷର ବୁଢିମା ଓ ସେ ବହୁ ଦୁଃଖକଷ୍ଟରେ ଦୁଇଓଳି ଭଲରେ ଖାଇବାକୁ ପାଉନାହାଁନ୍ତି । ମା’ କାନ୍ଧରେ ଏବେ ବୋଝ ହୋଇ ବିଛଣାରେ ପଡିଛି ଅସୁସ୍ଥ ରୋଜଗାରିଆ ପୁଅ । ଏଭଳି ଦୁଃଖଦ ଚିତ୍ରକୁ ନା ଦେଖିପାରୁଛନ୍ତି ଅସହାୟ ମା’ ନା ପୁତ୍ର ରାଜେନ୍ଦ୍ର । ଆଜକୁ ୩ ମାସ ତଳେ ହଠାତ୍ ଉଚ୍ଚ ରକ୍ତଚାପ ଯୋଗୁଁ ତଳେ ପଡିଯିବା ଫଳରେ ରାଜେନ୍ଦ୍ର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଗ୍ରାମବାସୀଙ୍କ ସହଯୋଗରେ କଟକ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଅର୍ଥାଭାବରୁ ପୁଣି ଫେରିଆସିଥିଲା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ । ସେତେବେଳକୁ ଶରୀରର ୫୦ ଭାଗ ଅଙ୍ଗ ପକ୍ଷାଘାତରେ ଅଚଳ ହୋଇପଡିଥିଲା । ଏବେ ସେ ଘରେ ରହି ଅର୍ଥାଭାବରୁ ଔଷଧଟିଏ କିଣି ପାରୁନାହାଁନ୍ତି । ଏଭଳି ଦୁଃଖ ସମୟରେ ବୃଦ୍ଧା ମା’ ମଲ୍ଲୀ ଗ୍ରାମବାସୀଙ୍କ ନିକଟରେ ହାତ ପାତି ପେଟ ପୋଷିବା ସହ ପୁତ୍ରର ଔଷଧ ଖର୍ଚ୍ଚ ଆଉ ବହନ କରିପାରୁନାହାଁନ୍ତି । ସରକାରୀ ସହାୟତା କହିଲେ ମା’ର ବାର୍ଦ୍ଧକ୍ୟ ଭତ୍ତା ବାବଦ ୫ ଶହ ଟଙ୍କା ଓ ୧୦ କେଜି ଚାଉଳ । ଯାହା ଉଭୟ ମା’ ଓ ପୁଅଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ । ଏଣୁ କୌଣସି ସରକାରୀ ସହାୟତା ସାମାଜିକ ସଂଗଠନ କିମ୍ବା ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେଲେ ଉଭୟ ମା’ ଓ ପୁଅ ବଂଚିଯାନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ପୁତ୍ରର ଏଭଳି ଅବସ୍ଥାକୁ ଆଉ ସହିପାରୁନାହାଁନ୍ତି ମା’ ମଲ୍ଲୀ । ସେ ସୁସ୍ଥ ହୋଇଗଲେ ଶାନ୍ତିରେ ସବୁଦିନ ପାଇଁ ଆଖି ବୁଜି ଦିଅନ୍ତେ ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି ବୃଦ୍ଧା ମା’ ମଲ୍ଲୀ । ଏଠାରେ ସୂଚନାଯୋଗ୍ୟ ଶଯ୍ୟାଶାୟୀ ରାଜେନ୍ଦ୍ରର ପତ୍ନୀ ଆଜକୁ ୨୦ ବର୍ଷ ତଳେ ତାକୁ ଛାଡି ଅନ୍ୟ ସହ କେଉଁଆଡେ ରହୁଛି ।