Odiapua.com

ସହରରେ ବଡ଼ ଦୁର୍ଘଟଣା : ୩୧ ମୃତ ୨୦ ରୁ ଅଧିକ ଆହତ

କାନପୁର ୨-୧୦ (ଓଡ଼ିଆ ପୁଅ) : ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର କାନପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି ବୋଲି ଖବରରୁ ପ୍ରକାଶ।

ଖୱର ଅନୁଯାୟୀ, ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଟ୍ରାକ୍ଟର ଟ୍ରଲି ଓଲଟି ପଡି ଘାଟପୁର ଅଞ୍ଚଳ ନିକଟ ଏକ ପୋଖରୀରେ ଖସିପଡିଥିଲା। ଅଧିକାରୀ କହିଛନ୍ତି ଯେ ଅତି କମରେ ୨୬ ଜଣ ତୀର୍ଥଯାତ୍ରୀ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ମୃତ୍ୟୁବରଣ କରିଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟରଟି ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି। ଅପରପକ୍ଷରେ ଅବହେଳା କାରଣରୁ ସରହ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଷ୍ଟେସନ ଇନଚାର୍ଜକୁ ନିଲମ୍ବିତ କରାଯାଇଛି। ପୋଲିସ ଫୋର୍ସକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚାଇବାରେ ବିଳମ୍ବ ହେତୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହା ସହ ସମାନ୍ତରାଳ କିଛି ଘଣ୍ଟା ମଧ୍ୟରେ ସହରରେ ହୋଇଥିବା ଦ୍ୱିତୀୟ ସଡ଼କ ଦୁର୍ଘଟଣାରେ ଆହିରୱାନ ଫ୍ଲାଏଓଭର ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଏକ ଟେମ୍ପୋ ସହ ଧକ୍କା ହେବା ପରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ପାଇଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ପ୍ରତ୍ୟେକଙ୍କୁ, ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଦସ୍ୟ ହରାଇଥିବା ପରିବାରକୁ ସମବେଦନା ଜଣାଇବା ସହିତ ବରିଷ୍ଠ ମନ୍ତ୍ରୀ ରାକେଶ ସଚ୍ଚନ ଏବଂ ଅଜିତ ପାଲଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଉକ୍ତ ସ୍ଥାନକୁ ପଠାଇଛନ୍ତି।