Odiapua.com

ସହକାରୀ ବୟନଶିଳ୍ପ ନିଦ୍ଦେର୍ଶକ ବୁଣାକାରଙ୍କୁ ଭେଟିଲେ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୁଣାକାରଙ୍କ ଉପରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଏ ନେଇ ଆଜି ସହକାରୀ ବୟନଶିଳ୍ପ ନିଦ୍ଦେର୍ଶକ ବୋର୍ଡ଼ ସଭ୍ୟ ସମେତ ବୁଣାକାର ପରିବାରଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଅଭାବ ଅସୁବିଧା ବାବଦରେ ବୁଝି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଏହି ତତ୍‌ପରତା ପରେ ବୁଣାକାର ପରିବାର ମଧ୍ୟରେ ସେମାନଙ୍କ କୌଳିକ ବୃତ୍ତି କୁ ବଞ୍ଚାଇବା ନେଇ ନୂତନ ଆଶାର ସଞ୍ଚାର ହୋଇଛି । ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଗରପଡ଼ା ଠାରେ ଥିବା ଗୋବିନ୍ଦଜୀଉ ଶ୍ରୀରାମପୁର ତନ୍ତୁବାୟ ସହଯୋଗ ସମିତିରେ ସହକାରୀ ବୟନଶିଳ୍ପ ନିଦ୍ଦେର୍ଶକ (ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର) ପଦ୍ମାସିନି ସାହୁ, ସମବାୟ ସମିତି ସମୂହର ଉପ-ସହକାରୀ ନିବନ୍ଧକ ବାଲେଶ୍ୱର ଦାମୋଦର ମହାରଣା,ବୟନ ନିରିକ୍ଷକ ଅରୁଣ କୁମାର ବେହେରା,ବୈଷୟିକ ସହାୟକ ପ୍ରଶାନ୍ତ କୁମାର ଜେନା ପହଞ୍ଚି ବୋର୍ଡ଼ ସଭ୍ୟ ଓ ବୁଣାକାର ପରିବାରକୁ ଭେଟିଥିଲେ । ଏହି ଗାଁରେ ଏବେ ଚାଲୁଥିବା ଅଳ୍ପ କେତୋଟି ତନ୍ତକୁ ନିୟମିତ ଚାଲୁ କରିବା ସହ ପର୍ଯ୍ୟାୟ କ୍ରମେ ଅବଶିଷ୍ଟ ତନ୍ତକୁ ଚାଲୁ କରିବାକୁ ସେ ପରାମର୍ଶ ଦେଇଥିଲେ । ଶାଢି,ଧୋତି,ଲୁଙ୍ଗି,ଗାମୁଛା ବଦଳରେ ସାର୍ଟ କପଡ଼ା ବୁଣିବା ପାଇଁ ସେ କହିଥିଲେ । ଏବେ ବଜାରରେ ସୁତା ସାର୍ଟର ଚାହିଦା ରହିଥିବା ବେଳେ ସୁତା ଯୋଗାଇ ଦିଆଯାଇ ବୟନିକା ମାଧ୍ୟମରେ ବିକ୍ରି କରାଯିବ । ପୂର୍ବରୁ ବୁଣା ହୋଇ ସମିତିରେ ଗଚ୍ଛିତ ଥିବା ଲୁଙ୍ଗି,ଗାମୁଛା,ବେଡସିଟ୍ କୁ ଜିଲ୍ଲାପାଳଙ୍କୁ ଅବଗତ କରି ମିଶନ୍ ଶକ୍ତି ମାଧ୍ୟମରେ କ୍ରୟ କରାଯିବ ।

ସରକାରଙ୍କ ବିଭିନ୍ନ ଯୋଜନା ଯଥା- ବୟନଜ୍ୟୋତି,ବଳିଆ ଯୋଜନାରେ ବିନା ସୁଧରେ ରୁଣ ଯୋଗାଇ ଦିଆଯାଇ କଞ୍ଚାମାଲ କ୍ରୟ,ଦୁର୍ଘଟଣା ଜନିତ ବିମା,ବୁଣାକାର ପରିବାରଙ୍କୁ ସୁତା ଚିହ୍ନଟ ପାଇଁ ୬ମାସିଆ ତାଲିମ,ଉତ୍କୃଷ୍ଟ ବୁଣାକାର ପାଇଁ ଡିଜାଇନ୍ ତାଲିମ,ବିନା ସୁଧରେ ତନ୍ତ ଯୋଗାଇ ଦେବା,ପ୍ରତି ମାସରେ ବୋର୍ଡ଼ ସଭ୍ୟଙ୍କ ବୈଠକ ବସିବା ସହ ପ୍ରାଚିର ପତ୍ର ମାଧ୍ୟମରେ ସଚେତନ କରିବା ଆଦି ନେଇ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନାରୁ ବୁଣାକାର ପରିବାର କିପରି ଉପକୃତ ହୋଇପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ଯୋଜନାର ସୁଫଳ ବୁଣାକାର ପରିବାରଙ୍କୁ ଘରେଘରେ ପହଞ୍ଚା ଯିବ ବୋଲି ଅଧିକାରୀ ମାନେ କହିଥିଲେ । ଆଜିର ଏହି ଆଲୋଚନାରେ ତନ୍ତବାୟ ସମିତି ସଭାପତି ନିରଞ୍ଜନ ଦାସ,ଉପ-ସଭାପତି ସଞ୍ଜୁଲତା ବେହେରା,ଶ୍ରୀଧର ବେହେରା,କୈଳାସ ବେହେରା,ଅକ୍ଷୟ ବେହେରା,ଅଦୈତ୍ୟ ବେହେରା,ଗଜେନ୍ଦ୍ର ବେହେରା,ମଧୂସୁଦନ ବେହେରା,ଗୁର ବେହେରାଙ୍କ ସମେତ ବୁଣାକର ପରିବାର ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ୧୯୫୬ ମସିହାରେ ଏଠାରେ ଗୋବିନ୍ଦଜୀୟୁ ଶ୍ରୀରାମପୁର ତନ୍ତବାୟ ସହଯୋଗ ସମିତି ଖୋଲା ଯାଇଛି । ଏହି ସମିତି ଜରିଆରେ ସଂପୃକ୍ତ ଅଞ୍ଚଳରେ ଥିବା ଶ୍ରୀରାମପୁର,ସାହୁପଡ଼ା ଓ ଅମରସିଂପୁର ଗ୍ରାମର ପାଖାପାଖି ୧୫୦ ହଁସି ପରିବାର ନିଜର କୌଳିକ ବୃତ୍ତି ଜରିଆରେ ଲୁଗା ବୁଣି ବିକ୍ରୟ କରନ୍ତି । ତନ୍ତରେ ଶାଢି,ଧୋତି,ଚଦର,ଲୁଙ୍ଗି,ଗାମୁଛା ଆଦି ବୁଣି ସମିତି ମାଧ୍ୟମରେ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ବର୍ତ୍ତମାନର ବଜାର ଚାହିଦାକୁ ନେଇ ବୁଣାକାର ପରିବାର ଜିନିଷ ପ୍ରସ୍ତୁତ କରି ନ ପାରିବାରୁ ସେମାନଙ୍କ ଆର୍ôଥକ ମାନଦଣ୍ଡ ଦୁର୍ବଳ ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବୁଣାକାର ପରିବାରକୁ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବି କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।