Odiapua.com

ସସ୍ମିିତାଙ୍କ ଯୌତୁକ ନିର୍ଯ୍ୟାତନା ମାମଲା, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ତ: ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବୀ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ୱଶୁରଘର ଲୋକମାନେ ସସ୍ମିତାକୁ ଯୌତୁକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି । ତୁରନ୍ତ ତାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ, ନଣନ୍ଦେଇ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଏସ୍‌ପି ଦ୍ୱାରସ୍ଥ ହୋଇଛନ୍ତି । ଶାସକଦଳର ନେତାଙ୍କ ଚାପରେ ଭଣ୍ଡାରିପୋଖରୀ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସସ୍ମିତାଙ୍କ ପରିବାର ପକ୍ଷରୁ ଏସ୍‌ପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଏପରିକି ଭଣ୍ଡାରିପୋଖରୀ ପୋଲିସଙ୍କ ପକ୍ଷପାତିତା ଏବଂ କଦର୍ଯ୍ୟ ବ୍ୟବହାର ସସ୍ମିତା ପରିବାରକୁ ବ୍ୟଥିତ କରିଛି । ଶ୍ୱଶୁରଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେବା ସହିତ ମାଡ଼ମାରି ଚାରିବର୍ଷର ଶିଶୁ ପୁତ୍ରକୁ ତାଙ୍କ ଠାରୁ ନିଖୋଜ କରି ରଖାଯିବା ଘଟଣା ଏବଂ ତାଙ୍କର ସ୍ୱାମୀ ଅନ୍ୟଜଣେ ମହିଳାକୁ ନେଇ ଫେରାର ହୋଇଯିବା ଘଟଣା ସସ୍ମିତାଙ୍କୁ ଦାରୁଣ ଦୁଃଖ ଆଣିଥିଲା । ଏପରିକି ଶିଶୁପୁତ୍ରର ନିଖୋଜର ପାଞ୍ଚଦିନ ପରେ ପୋଲିସ୍ ପକ୍ଷରୁ ଶିଶୁର ମାଆ ସସ୍ମିତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପୁଅ କେଉଁଠି ଓ କିଏ ତାକୁ ଅପହରଣ କରି ଲୁଚାଇ ରଖିଥିଲା ଏବଂ ପୋଲିସ୍ କେଉଁଠାରୁ ଉଦ୍ଧାର କଲା ବୋଲି ଭଣ୍ଡାରିପୋଖରୀ ଥାନାଧିକାରୀଙ୍କୁ ପଚାରିବାରୁ ସେ କହନ୍ତି ତୁମେ ତୁମ ପୁଅକୁ ପାଇଲ ଏତେକଥା କାହିଁକି ପଚାରୁଛ, ବେଶୀ ଆଇନ୍ ଦେଖାଉଛ ବୋଲି ଉତ୍ତର ଦେଇଥିଲେ । ଘଟଣାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧିନସ୍ଥ ମଂଜୁରରୋଡ ଅଞ୍ଚଳର ସାତଶୋଳା ଗ୍ରାମର ନିତ୍ୟ ଚିନ୍ମୟ ଖଣ୍ଡାଇଙ୍କୁ ସେହି ଥାନା କୁଲଣା ନିକଟସ୍ଥ ଓଳା ଗ୍ରାମର ପରମାନନ୍ଦ ସାହୁଙ୍କ ଝିଅ ସସ୍ମିତା ସାହୁ ବିବାହ କରିଥିଲେ ।

ବିଭାଘର କିଛି ମାସ ପରେ ସ୍ୱାମୀ ସମେତ ଶୁଶୁର ଘରଲୋକେ ଅଧିକ ଯୌତୁକ ଦାବୀରେ ତାଙ୍କୁ ମାନସିକ, ଶାରିରୀକ ନିର୍ଯ୍ୟାତନା ଦେବା ସହିତ ଅନେକ ସମୟରେ ମାଡ ମରାଯାଇଥିବାର ଅଭିଯୋଗ ଆଣିଛନ୍ତି । ତାଙ୍କର ସ୍ୱାମୀ ଜଣେ ନମିତା ପରିଡ଼ା ନାମରେ ମହିଳା ସହିତ ଅବୈଧ ସମ୍ପର୍କକୁ ନେଇ ସେ ବିରୋଧ କରିଆସୁଥିବା ବେଳେ ତାଙ୍କର ଶ୍ୱଶର, ଶାଶୁ , ନଣନ୍ଦ ନଣନ୍ଦେଇ ତାଙ୍କୁ ସହଯୋଗ କରି ଆସୁଥିଲେ । ଏହି ଘଟଣାକୁ ନେଇ ଜୁନ୍ ୮ ତାରିଖରେ ସ୍ୱାମୀ ସମେତ ଶ୍ୱଶୁର ଘରର ସମସ୍ତ ସଦସ୍ୟ ସଂଘବଦ୍ଧ ଭାବେ ତାଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାର ଖବର ପାଇ ତାଙ୍କର ବାପା ଏବଂ ଭାଇ ପହଂଚିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସସ୍ମିତାର ମୁଣ୍ଡ, ପେଟ ଓ ଛାତିରେ ଆଘାତ ଲାଗିଥିଲା ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାପା ଭାଇ ସସ୍ମିତାକୁ ଭଦ୍ରକ ଆଣି ତାଙ୍କୁ ଚିକିତ୍ସା କରାଇଥିଲେ । ଏହି ଘଟଣା ସମ୍ପର୍କରେ ସସ୍ମିତା ପ୍ରଥମେ ମଂଜୁରୀରୋଡ ଫାଣ୍ଡି ଏବଂ ପରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ଭଣ୍ଡାରିପୋଖରୀ ପୋଲିସ୍ କେଶ୍ ନଂ ୧୮୮/୨୧ରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କୁ ଗିରଫ କରି ନାହାନ୍ତି । ଏପରିକି ଅଭିଯୁକ୍ତମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବାର ଅଭିଯୋଗ ଆଣିଛନ୍ତି । ଘଟଣା ସମ୍ପର୍କରେ ଅଭିଯୁକ୍ତ ବିରୁଦ୍ଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସ୍‌ପି ସସ୍ମିତାକୁ ପ୍ରତିଶୃତି ଦେଇଛନ୍ତି ।