Odiapua.com

ସଲାସୁତୁରାରେ ଚାଲିଛି ରାସ୍ତାକାମ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ହାଟଡିହି, ୯ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ହେଉଛି ରାସ୍ତାକାମ । ବର୍ଷବର୍ଷ ଧରି ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ନେଇଥିଲେବି ଠିକ ଭାବେ କାମ କରୁନଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରିକି ଏକ ପୋଲକାମକୁ ଅଧାପନ୍ତରିଆ ଭାବେ ପକାଇଦେଇ ପାଳଇଥିବାରୁ ଗୋଟିଏ ଗାଁର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିବା ସହ ଏକ ବାଉଁଶ ଚାରା କରି ଯାତାୟତ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଆର.ଡି ବିଭାଗ ଅଧିନରେ ଥିବା ଟୁକୁଣା ଆମ୍ବୋ ରାସ୍ତାରେ । ଖବରରୁ ଜଣାଯାଇଛି ଯେ ଆମ୍ବୋ ଟୁକୁଣା ରାସ୍ତାଟି ଉପରେ ଆମ୍ବୋ, ଲଇଛଣପୁର, ସରଳ, କୋଳିପଦି, କରଗୋଳା ଲୋକମାନେ ନିର୍ଭର କରିଥାନ୍ତି । ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିବାରୁ ଅଞ୍ଚଳବାସୀଙ୍କ ଦାବିପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୨କୋଟି ୫୯ଲକ୍ଷ ୪୯ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲା । ଠିକାଦାର ଭାଗିରଥି ସାହୁ ଏହି କାର୍ଯ୍ୟର ଟେଣ୍ଡର ପାଇଥିଲେ । ରାସ୍ତା କାର୍ଯ୍ୟ ୨୦/୨/୨୦୧୯ରେ ଆରମ୍ଭ ହୋଇ ୧୯/୧୧/୨୦୧୯ରେ ସମାପ୍ତ କରିବାକୁ ଚୁକ୍ତି ହୋଇଥିଲା । ମାତ୍ର ଅବଧି ସରିବାର ଦୁଇବର୍ଷ ବିତିବାକୁ ବସିଲା ରାସ୍ତା କାମ ସରିଲାନି । ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ଯାତାୟତ ଅନୁପଯୋଗୀ ହୋଇପଡିବାରୁ ଗ୍ରାମବାସୀଙ୍କ ଆନ୍ଦୋଳନ ଧମକ ପରେ ଗତ କିଛିମାସ ପୁର୍ବେ ଏହି ରାସ୍ତାର ଖାଲଖମା ଗୁଡିକ ପୋତିଦେଇ ଠିକାଦାର କାମ ବନ୍ଦ କରିଦେଇଛି । ଏବେ ରାସ୍ତାରେ ପଡିଥିବା ଡବ୍ଲୁ.ଏମ.ଏମ ଗୁଡିକ ଉଠିଯାଇ ରାସ୍ତାସାରା ବିଛାଡି ହୋଇପଡିବାରୁ ଲୋକମାନେ ସାଇକେଲଟିଏ ଧରି ଯିବା ଆସିବା କରିପାରୁ ନାହାନ୍ତି । ସରକାର ଟଙ୍କା ଯୋଗାଇଦେଲେ ହେଲେ ବିଭାଗୀୟ ଅଧିକାରୀ ମାନେ ରାସ୍ତା ନିର୍ମାଣ କିପରି ହେବ ସେନେଇ ଉପଯୁକ୍ତ ପଦକ୍ଷେପ ନନେବାରୁୂ ଆମେ ଅଞ୍ଚଳବାସୀ ହିନସ୍ଥା ଭୋଗୁଛୁ ବୋଲି ଆମ୍ବୋ ଗ୍ରାମର ଖଗେଶ କୁମାର ମହାପାତ୍ର, ସରୋଜ କୁମାର ମହାପାତ୍ର, ମଦନ ମୋହନ ରାଉତ, କାହ୍ନୁ ଚରଣ ଜେନା, ପ୍ରଭାସ ପଟ୍ଟନାୟକ, ରଶ୍ମୀରଞ୍ଜନ ରାଉତ, ପପୁ ମହାପାତ୍ର, ପ୍ରଦ୍ୟୁମ୍ନ ପଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି ।ଏପରିକି ଏଷ୍ଟିମେଟ ଅନୁଯାଇ କାମ ମଧ୍ୟ କରାଯାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିପରି ସେହି ଏକା ପ୍ୟାକେଜରେ ଥିବା ବାହାରିପୁର ଠାରୁ ଚାପୁଣ୍ଡିଆ ଭାୟା କଦମ୍ବଡିହି ରାସ୍ତାଟିକୁ ଅଧାପନ୍ତରିଆ କରି ଛାଡି ପଳାଇଛି । ଏହି ରାସ୍ତାର ଅଧିକାଶଂ ସ୍ଥାନରେ କଂକ୍ରିଟ କାମ ସରିଥିବାବେଳେ କଦମ୍ବଡିହିକୁ ଯାଇଥିବା ରାସ୍ତାରେ ଏକ ପୋଲକୁ ଅଧାପନ୍ତିଆ କରି ପକାଇ ଦେଇଛି । ପୋଲର କାନ୍ଥି ସରିଥିବାବେଳେ ଛାତ ନପକାଇ କାମ ବନ୍ଦ କରିଦେଇଛି । ଯାହାଦ୍ୱାରା ଏହି ଗାଁ ରେ ଲୋକମାନେ ଏବେ ଦୁଇ ତିନି କିଲୋମିଟିର ବୁଲି ବୁଲି ମୁଖ୍ୟ ରାସ୍ତା ଉପରକୁ ଆସୁଛନ୍ତି । ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଅସୁବିଧା ଭୋଗ କରୁଥିବାବେଳେ ରୋଗୀଙ୍କୁ ଡାକ୍ତରଖାନା ନେବାରେ ନାନା ସମସ୍ୟା ସୃଷ୍ଟି ହେଉଛି ବୋଲି ରାମଚନ୍ଦ୍ର ନାୟକ, ବଳରାମ ନାୟକ, ଶତୃଘ୍ନ ରାଉତ, ଅଜୟ କୁମାର ସାହା, କରୁଣାକର ଓଝା, ଭାଗିରଥି ନାୟକ, ମଦନ ମୋହନ ନାୟକ, କୃଷ୍ଣଚନ୍ଦ୍ର ମହାନ୍ତି, ନରେନ୍ଦ୍ର ରାଉତ, ବଟକୃଷ୍ଣ ପଢ଼ିଆରୀ, ଶେଷଦେବ ନାୟକ, ନବଘନ ରାଉତ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ସଂପୃକ୍ତ ଠିକାଦରଙ୍କୁ ଅନେକ ଚିଠି କରିବାପରେ ଏବେ କାମ ଆରମ୍ଭ କରିଛି, ବର୍ଷାଦିନ ଥିବାରୁ କାମରେ ଟିକେ ବିଳମ୍ବ ହେଉଛି ବୋଲି କହିଛନ୍ତି ।