Odiapua.com

ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍‌, ଫାଇନାଲ୍‌ରେ ଇଷ୍ଟକୋଷ୍ଟ ଭଦ୍ରକ, ବାପୁଜୀ ଭୁବନେଶ୍ୱର

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନେତାଜୀ ମିନି ଷ୍ଟାଡିୟମ୍ ପୁରୁଷୋତ୍ତମପୁର ପଡିଆରେ ଚାଲିଥିବା ୨୨ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ପ୍ରଥମ ସେମିଫାଇନାଲ୍ ମ୍ୟାଚ ୟୁନାଇଟେଡ଼୍ ଇଲେଭେନ୍ ଗଞ୍ଜାମ ବନାମ୍ ବାପୁଜୀ କ୍ଲବ ଭୁବନେଶ୍ୱର ମଧ୍ୟରେ ହୋଇଥିଲା । ଟସ୍ ଜିଣି ୟୁନାଇଟେଡ଼୍ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଉଇକେଟ୍ ହରାଇ ୧୭୩ ରନ୍ କରିଥିଲା । ଜବାବ୍ ରେ ବାପୁଜୀ ଭୁବନେଶ୍ୱର ୫ ଉଇକେଟ୍ ହରାଇ ୧୯.୩ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୨ୟ ମ୍ୟାଚ୍ ଇଷ୍ଟକୋଷ୍ଟ ରେଳବାଇ ବିଶାଖାପାଟନମ୍ ବନାମ୍ ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ମଧ୍ୟରେ ହୋଇଥିଲା । ଟସ୍ ଜିଣି ବିଶାଖାପାଟନମ୍ ଭଦ୍ରକ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳ ୧୮ ଓଭରରେ ୮ ଉଇକେଟ୍ ହରାଇ ୧୪୭ ରନ୍ କରିଥିଲା । ଜବାବ୍ ରେ ବିଶାଖାପାଟନମ୍ ନିୟମିତ ବ୍ୟବଧାନରେ ଉଇକେଟ୍ ହରାଇ ୧୦ ଓଭରରେ ମାତ୍ର ୫୬ ରନ୍ କରି ପରାଜୟ ବରଣ କରିଥିଲା । ମ୍ୟାଚ୍‌କୁ ସାର୍ଥକ ବିଶ୍ୱାଳ, ସାନ୍ତନୁ ରାଉତ, ରଞ୍ଜନ ମହାନ୍ତି, ବିଜୟ ରାଉତ ଅମ୍ପାରିଂ କରିଥିବା ବେଳେ ସ୍କୋର୍‌ରେ ଜ୍ୟୋତିରଞ୍ଜନ ଜେନା ଦାୟିତ୍ୱ ତୁଲାଇ ଥିଲେ । ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସୁକାନ୍ତ ବେହେରା, ସେକ୍ ଆଜାରୁବ୍ଦିନ୍‌, ଅପୂର୍ବ ଚଣ୍ଡ ଥିଲେ । ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକର ସଞ୍ଜିବ ଚୌଧୁରୀ ଏବଂ ଭୁବନେଶ୍ୱର ବାପୁଜୀ କ୍ଲବର ଆଦିତ୍ୟ ପ୍ରସାଦଙ୍କୁ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ, ଡ଼ ମାନସ କୁମାର ମହାଳିକ, ଡଃ ଉତ୍ତମ ନାୟକ, ସମାଜସେବୀ ବିଣାପାଣୀ ନାୟକ, ଶିକ୍ଷାବିତ୍ ଦେବେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ବନମାଳୀ ପଣ୍ଡା, ଜୟନ୍ତ ନାୟକ, କାହ୍ନା ନାୟକ, ଇଂ ସୁଧାଂଶୁ ନାୟକ, ସଞ୍ଜିବ ବେହେରା, ଜ୍ୟୋତିରଞ୍ଜନ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା କାଲି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜିର ବିଜେତା ଦଳ ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ବନାମ୍ ବାପୁଜୀ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।