Odiapua.com

ସର୍ବସାଧାରଣ ରାସ୍ତା ଉପରେ ବେଆଇନ ନିର୍ମାଣ, ଜବରଦଖଲକାରୀଙ୍କୁ ତିହିଡ଼ି ପୁଲିସର ଅନୁକମ୍ପା ଅଭିଯୋଗ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୭୦ ବର୍ଷର ସର୍ବ ସାଧାରଣ ରାସ୍ତା ଉପରେ ବେଆଇନ ନିର୍ମାଣ। ଏହି ରାସ୍ତା ସଂପୃକ୍ତ ଅଞ୍ଚଳବାସୀ ସମସ୍ତଙ୍କ ଯାତୟାତ ପାଇଁ ଦାନ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ବନ୍ଦୋବସ୍ତ ନକ୍ସା ଓ ସରକାରୀ ଖତିଆନରେ ଉଲ୍ଲେଖ ରହିଛି। କିନ୍ତୁ ଏହା ଉପରେ ନିର୍ମାଣ କାର୍ଯ୍ୟ ବେଆଇନ ଭାବେ ଚଳାଇଛନ୍ତି ୨ଜଣ ବ୍ୟକ୍ତି। ପ୍ରଥମେ ତିହିଡ଼ି ପୁଲିସ, ଭଦ୍ରକ ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି କୌଣସି ଫଳ ନପାଇବା ପରେ ଅଞ୍ଚଳବାସୀ ମୁନସଫ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ, ମାନ୍ୟବର ଅଦାଲତ ଏହି ନିର୍ମାଣ ଉପରେ ସ୍ଥିତାବସ୍ଥା ଜାରୀ କରିଛନ୍ତି। ଏପରି ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ସଂପୃକ୍ତ ବ୍ୟକ୍ତି ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି ଓ ଭବିଷ୍ୟତରେ ଆଇନ ଶୃଙ୍ଖଳ ପରିସ୍ଥିତି ସୃଷ୍ଟି କରିବାର ସମ୍ଭବାନା ସୃଷ୍ଟି କରିଛି। ଘଟଣା ଘଟିଛି ତିହିଡ଼ି ଥାନା ଅଧିନସ୍ଥ ଗୁଆମାଳ ପଞ୍ଚାୟତରେ। ତିହିଡ଼ି ପୁଲିସ ଏହି ୨ ବେଆଇନ ନିର୍ମାଣକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ କାହିଁକି ପଛଘୁଞ୍ଚା ଦେଉଛି, ସେଥିନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତଥ୍ୟ ଅନୁଯାୟୀ ଉକ୍ତ ପଞ୍ଚାୟତର ଝାଟପଡ଼ା ଗ୍ରାମ ମଧ୍ୟ ଦେଇ ଏକ ରାସ୍ତା ୭୦ ବର୍ଷ ହେଲା ରହିଛି। ଯାହାକି ସର୍ବସାଧାରଣ ବ୍ୟବହାର କରି ଆସୁଛନ୍ତି। ସାଧାରଣ ଲୋକଙ୍କକ ଯାତାୟାତ ପାଇଁ ସ୍ଥାନୀୟ ବ୍ୟକ୍ତି ବିଶେଷ ଉକ୍ତ ସଂକୀର୍ଣ୍ଣ ରାସ୍ତାକୁ ଓସାରିଆ କରିଥିଲେ। ଯାହାକି ବନ୍ଦୋବସ୍ତ ନକ୍ସାରେ ସ୍ଥାନିତ ହୋଇଛି।

କିନ୍ତୁ ଇତିମଧ୍ୟରେ ଗୌରାଙ୍ଗ ସେନାପତି ଓ ଲିଲିରାଣୀ ସେନାପତି ନାମକ ୨ଜଣ ବ୍ୟକ୍ତି ଉକ୍ତ ରାସ୍ତା ଉପରେ ସ୍ଥାୟୀ ପକ୍କା ଗୃହ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀ ତିହିଡ଼ି ତହସିଲଦାର, ତିହିଡ଼ି ପୁଲିସ ଓ ଭଦ୍ରକ ଉପ ଜିଲ୍ଲାପାଳଙ୍କୁ ଅବଗତ କରି କୌଣସି ସୁଫଳ ନପାଇବାରୁ, ସେମାନେ ଭଦ୍ରକ ମୁନସଫ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ଘଟଣାରେ ମାମଲା ଫଏସଲ ନ ସରିବା ପର୍ଯ୍ୟନ୍ତ ଉକ୍ତ ନିର୍ମାଣ କାର୍ଯ୍ୟ ଉପରେ ସ୍ଥିତିାବସ୍ଥା ଜାରୀ କରିଥିଲେ। ଏହା ପରେ ମଧ୍ୟ ସଂପୃକ୍ତ ୨ ବ୍ୟକ୍ତି କୋର୍ଟ ଆଦେଶକୁ ଅବମାନନା କରିବା ସହ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଉକ୍ତ ରାସ୍ତା ଅବରୋଧ ହେଲେ, ଉକ୍ତ ଗ୍ରାମର ସମସ୍ତ ଅଧିବାସୀ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବେ। ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପରି ଜରୁରୀ ସେବାରେ ସେମାନେ ବଞ୍ଚିତ ହେବେ ବୋଲି ଦର୍ଶାଇଛନ୍ତି। ତେଣୁ ତୁରନ୍ତ ଏହାର ସରଜମିନ ତଦନ୍ତ କରି ଉକ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାନଗଲେ, ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଆଶଙ୍କାପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଗ୍ରାମର ବିଘ୍ନେଶ ପାଣିଗ୍ରାହୀ, ଶଶ୍ମିତା ପାଣିଗ୍ରାହୀ, ଇତିପ୍ରଭା ପାଣିଗ୍ରାହୀ, ମଧୁସୂଦନ ପାଣିଗ୍ରାହୀ, ଅନିତା ମହାନ୍ତି, ଧିରେନ୍ଦ୍ର ପାଣିଗ୍ରାହୀ, ମୁରଲିଧର ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧିକ୍ଷକ, ଚାନ୍ଦବାଲି ଏସଡିପିଓ, ତିହିଡ଼ି ତହସିଲଦାର, ତିହିଡ଼ି ଥାନାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି। ନଚେତ ତିହିଡ଼ି ପୁଲିସର ଉଦାସୀନତା ବିରୋଧରେ ସମଗ୍ର ଗ୍ରାମବାସୀ ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।