ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ୍ ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଂଘ ପକ୍ଷରୁ ଆଜି ଜିଲା ସଂସ୍କୃତି ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ଦିବ୍ୟାଙ୍ଗ ହୁଇଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଂଟ ଉତ୍କଳ ଟ୍ରଫି ନାମରେ ଏକ କ୍ରୀଡା ରାନ୍ଦିଆ ସରପଂଚ ସ୍ୱପ୍ନାରାଣୀ ରାଉତରାୟ ଓ ଜିଲା କ୍ରୀଡା ଅଧିକାରୀଙ୍କ ତତ୍ୱାବଧାନରେ ଜିଲାର ରାନ୍ଦିଆସ୍ଥିତ ବେଦାନ୍ତ ଫେକର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଜ୍ଞାନପ୍ରକାଶ ପାଣି ଓ ଭଦ୍ରକ ସାଳନ୍ଦୀ କ୍ରିକେଟ୍ କ୍ଲବ୍ର କ୍ରୀଡା ସଂପାଦକ ସଂଜୀବ ଦାସ ଯୋଗଦେଇଥିଲେ। ଅଲ୍ ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଂଘର ରାଜ୍ୟ ସଭାପତି ସୁନିତ କୁମାର ରାଉତ, ସଂପାଦକ ନାରାୟଣ ରାଉତ, ରାଜ୍ୟ କ୍ରୀଡା ସଂପାଦକ ଅଭୟ କୁମାର ଜେନା, ଭଦ୍ରକ ଜିଲା ସଭାପତି ପବିତ୍ର ମୋହନ ଜେନା, ସଂପାଦକ ଓ ରାଜ୍ୟ ମୁଖପାତ୍ର ପବିତ୍ର କୁମାର ନାୟକ ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିବାବେଳେ ଏଥିରେ ଉପରୋକ୍ତ ସର୍ବଭାରତୀୟ ଦିବ୍ୟାଙ୍ଗ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟର ଦିବ୍ୟାଙ୍ଗ କ୍ରୀଡାବିତ୍ମାନେ ଯୋଗ ଦେଉଥିବା ନେଇ ସୂଚନା ଦେଇଛନ୍ତି। ଏହି ଦିବାରାତ୍ର ଖେଳ ଆସନ୍ତା ନଭେମ୍ବର ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।