ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଟିଲୋ ହନୁମାନ ଜୀୟୁ ପଡିଆରେ ଚାଲିଥିବା ସର୍ବଭାରତୀୟ ଟିଲୋ କପ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ବୁଧବାର ଦୁଇଟି ମ୍ୟାଚ୍ ଖେଳାଯାଇଛି । ପ୍ରଥମ ମ୍ୟାଚରେ ଏମଏଚକେଏଲ୍ ବନାରସକୁ ହରାଇ ଏସପିଜେ କାର୍ଗୋ ଦିଲ୍ଲୀ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଓଡିଶାର ଏନସିସି କୁ ହରାଇ ସିଏଜି ଦିଲ୍ଲୀ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଏମଏଚକେଏଲ ବନାରସ ଟସ୍ ଜିଣି ଫିଲ୍ଡିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଏସପିଜେ କାର୍ଗୋ ଆରିୟାନ୍ ଚୌଧୁରୀଙ୍କ ୩୦ ବଲ୍ରେ ୨ ଚୌକା ଓ ୫ ଛକା ବଳରେ ୫୯ ରନ, ବିବେକ କୁମାର ୨୩ ବଲରେ ୨ ଚୌକା, ୬ ଛକା ବଳରେ ୫୧ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୬ ରନ୍ କରିଥିଲେ । ବନାରସର ବୋଲର ଆନ୍ନା ୪ ଓଭର ୨୧ ରନ୍ ୨ ୱିକେଟ୍ ,ଅଫରନ୍ ମୋଲା ୩ ଓଭରରେ ୩୫ ରନ୍ ୨ ଟି ୱିକେଟ ନେଇଥିଲେ । ୧୯୭ ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ବନାରସ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ୮୯ ରନ କରି ପରାଜୟ ବରଣ କରିଥିଲା । ଦଳର ବ୍ୟାଟ୍ସ ମ୍ୟାନ୍ ଆନ୍ନା ୨ ଚୌକା, ୩ ଛକା ବଳରେ ୨୧ ଟି ବଲରୁ ୩୭ ରନ୍ ,ହର୍ଷ ଜାଜୋଦିଆ ୨୦ ବଲରେ ୨୯ ରନ୍ କରିଥିଲେ । ଏସିପିଜେ କାର୍ଗୋର ବୋଲର ରମେଶ ପ୍ରସାଦ ୩.୪ ଓଭରରେ ୨୧ ରନ ଦେଇ ୪ ୱିକେଟ୍, ସକସନ୍ ଶର୍ମା ୨ ଓଭର ୭ ରନ ଦେଇ ୨ ଟି ୱିକେଟ୍ ନେଇଥିଲେ । ୨ୟ ମ୍ୟାଚ ସିଏଜି ଦିଲ୍ଲୀ ଓ ଏନସିସି ଓଡିଶା ମଧ୍ୟରେ ଖେଳାଯାଇଥିଲା । ଏଥିରେ ସିଏଜି ଦିଲ୍ଲୀ ବିଜୟ ଲାଭ କରିଥିଲା । ଟସ୍ ଜିଣି ସିଏଜି ପ୍ରଥମେ ବ୍ୟାଟିଂ କରି ସୁମିତ୍ ମାଥୁରଙ୍କ ୨୬ ବଲରୁ ୫ ଚୌକା ୨ଛକା ବଳରେ ୪୪ ରନ୍ , କାର୍ତିକ ବିଶ୍ୱାଳ ୩ ଚୌକା ୧ ଛକା ବଳରେ ୨୬ ବଲରୁ ୩୨ ରନ୍ ସହାୟତାରେ ଦଳ ୧୮୯ ରନ୍ କରିଥିଲା । ପ୍ରତିପକ୍ଷର ବୋଲର ପ୍ରଦୀପ ପ୍ରଧାନ ୪ ଓଭର ୨୫ ରନ୍ ୨ ୱିକେଟ୍ ,ଜାମଲା ୪ ଓଭର ୩୬ ରନ ୨ ୱିକେଟ୍ ନେଇଥିଲେ । ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଖେଳୁଥିବା ଏନିସିସି ଓଡିଶା ଆଦିତ୍ୟ ରାଉତଙ୍କ ୧୫ ବଲରେ ୨ ଚୌକା ୫ ଛକା ବଳରେ ସର୍ବାଧିକ ୪୨ ରନ ସହାୟତାରେ ୧୬. ୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରି ପରାଜୟ ବରଣ କରିଥିଲା । ସିଏଜିର ବୋଲର ସୁମିତ ମାଥୁର ୩.୩ ଓଭରରେ ୧୦ ରନ ଦେଇ ୩ ଟି ୱିକେଟ୍ ଏବଂ ଗୁରବିନ୍ଦର ସିଂ ୪ ଓଭରରେ ୨୩ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ । ଅତିଥି ଭାବେ ଅଲମ୍ପିୟାନ୍ ଦୂତି ଚାନ୍ଦ ଓ ସ୍ଥାନୀୟ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଉପସ୍ଥିତ ରହି ମ୍ୟାନ ଅଫ୍ ମ୍ୟାଚ୍ ପ୍ରଦାନ କରିଥିଲେ । ବିଭୂ ପ୍ରସାଦ ମିଶ୍ର, ସତ୍ୟନାରାୟଣ ଧଳ, ସୁଧାଂଶୁ ଶେଖର ଲେଙ୍କା, ଲଲାଟ କେଶରୀ ନନ୍ଦ ଆମ୍ପାୟାର ଏବଂ ସ୍କୋରରେ ସୌରଜିତ ସାହୁ ଥିଲେ । ଗୁରୁବାର ପ୍ରଥମ ମ୍ୟାଚ୍ ଏମଏଚକେଏଲ୍ ବନାରସ,ସିଏଜି ଦିଲ୍ଲୀ ଏବଂ ୨ୟ ମ୍ୟାଚ୍ ଓଡିଶାର ଏନସିସି ଓ ଦିଲ୍ଲୀର ଏସପିଜେ କାର୍ଗୋ ମଧ୍ୟରେ ଖେଳାଯିବ ।