Odiapua.com

ସର୍ବପ୍ରଥମ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ଉଦ୍ଘାଟନ : ତୃଣମୂଳ ସ୍ତରରେ ହକିକୁ ବୃହତ୍ ପ୍ରୋତ୍ସାହନ: ବିଜେତାମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

-ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ୍ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ବାତ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
-୧୫ରୁ ୨୧ ଡିସେମ୍ବର, ୨୦୨୧ ମଧ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟର ଟୁର୍ଣ୍ଣାମେଂଟରେ ୧୪ଟି ଦଳ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ

ଭୁବନେଶ୍ୱର ୧୫-୧୨ (ଓଡ଼ିଆ ପୁଅ) ଯୁବ ବ୍ୟାପାର ଏବଂ କ୍ରୀଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ ଠାରେ ଆନୁଷ୍ଠାନିକ ଭାବେ ସର୍ବପ୍ରଥମ ଜାତୀୟ ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ କୁ (୨୧ ବର୍ଷରୁ କମ୍ ବୟସ ବର୍ଗର) ବୁଧବାର ଦିନ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଠାକୁରଙ୍କ ସହିତ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶୀ ନିଶୀଥ ପ୍ରାମାଣିକ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ ର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ବାତ୍ରା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ। ଏହି ଲିଗ୍ ନିମନ୍ତେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି ଯାହା ବାବଦକୁ ଏମ୍ୱାଇଏଏସ୍ ୧୫ ଲକ୍ଷ ଏବଂ ହକି ଇଣ୍ଡିଆ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ।

ସମୁଦାୟ ୧୪ଟି ଦଳଙ୍କୁ ନେଇ ୧୫ରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଥମ ପର୍ଯ୍ୟାୟରେ ୪୨ଟି ମ୍ୟାଚ୍ ଖେଳାଯିବ, ଯେତେବେଳେ କି ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା ବର୍ଷ ପ୍ରାରମ୍ଭିକ ଭାଗରେ ଖେଳାଯିବ।

ଭାରତୀୟ ଖେଳ ପ୍ରାଧିକରଣ ଏବଂ ହକି ଇଣ୍ଡିଆ ଯୁଗ୍ମ ଭାବେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଲିଗ୍ ଆୟୋଜନ କରିଥିବାରୁ ଶ୍ରୀ ଠାକୁର ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଲିଗ୍ ଗୁଡିକର ମହତ୍ୱ ସମ୍ପର୍କରେ କହିଥିଲେ,। “ଆମର ସମସ୍ତ କ୍ରୀଡ଼ାବିତ୍ ବର୍ଷସାରା ବହୁତ କଠିନ ପ୍ରଶିକ୍ଷଣ ନେଇଥାନ୍ତି, କିନ୍ତୁ ଯଦି ସେମାନଙ୍କୁ ବଡ ବଡ ପ୍ରତିଯୋଗିତା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ଅଛି, ତା’ହେଲେ ଖେଳାଳିମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପ୍ରତିଯୋଗିତାର ଅଭିଜ୍ଞତା ଲାଭ କରିବା ଯଥେଷ୍ଟ ମହତ୍ୱପୂର୍ଣ୍ଣ ଅଟେ। ତେଣୁ, ଏ ପ୍ରକାରର ଲିଗ୍ ରେ ଖେଳିବା, ଯାହା ଖେଳାଳିଙ୍କୁ ବର୍ଷସାରା ପ୍ରତିଯୋଗିତା ପ୍ରତି ଉନ୍ମୁଖ କରାଇ ଥାଏ, ତାହା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ।’ ଶ୍ରୀ ଠାକୁର ଆହୁରି କହିଥିଲେ ଯେ, ଆଗକୁ ଅନ୍ୟାନ୍ୟ ଖେଳଗୁଡ଼ିକ ନିମନ୍ତେ ମଧ୍ୟ ଏହିଭଳି ଲିଗ୍ ମ୍ୟାଚ୍‌ ମାନ ଆୟୋଜନ କରାଯିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ୨୦୧୫ ପରେ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ପ୍ରଥମ ବୃହତ୍ କାର୍ଯ୍ୟକ୍ରମ ଏବଂ ଏହି ପ୍ରତିଷ୍ଠିତ ସ୍ଥାନକୁ ସେ ଖେଳାଳିମାନଙ୍କର ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପୁନଃ ଉପସ୍ଥାପନ କରି, ଶ୍ରୀ ପ୍ରାମାଣିକ କହିଥିଲେ ଯେ, “ଶ୍ରୀ ମୋଦୀଙ୍କ ଦୃଷ୍ଟିକୋଣର ନେତୃତ୍ୱରେ ଆମେ ଏହି ଲିଗ୍ ମାଧ୍ୟମରେ ଚିୟର ୪ ଇଣ୍ଡିଆର ଅଭିଯାନକୁ ଆଗକୁ ବଢ଼ାଉଛେ। ମୁଁ ବିଶ୍ୱାସ କରେ ଯେ ଏମିତି ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଖେଳ ପଡିଆରେ ନିଜ ଦେଶର ପତାକାର ଟେକ ରଖିବାକୁ ସୁନିଶ୍ଚିତ କରିଥାନ୍ତି।’

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ ର ଅଧ୍ୟକ୍ଷ ଶ୍ରୀ ବାତ୍ରା କହିଥିଲେ ଯେ ହକିକୁ ଭାରତର କୋଣ ଅନୁକୋଣରେ ପହଂଚାଇବା ବାବଦରେ ଏହି ଲିଗ୍ ଚମତ୍କାର କାର୍ଯ୍ୟ କରିବ। “ମୋର ବିଶ୍ୱାସ ଯେ ଏହା ଏକ ବଡ ପଦକ୍ଷେପ ଅଟେ। ଗତ ୫- ୬ ବର୍ଷ ମଧ୍ୟରେ ସାଇ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ଏଥିପ୍ରତି ଯଥେଷ୍ଟ ଅଧିକ ସମର୍ଥନ ରହିଛି ଏବଂ ଏହି ସକାରାତ୍ମକ ଆଭିମୁଖ୍ୟ ଚଳିତ ବର୍ଷ ଅଲିମ୍ପିକ୍‌ ରେ ଏକ ଉତ୍ତମ ଫଳାଫଳ ଲାଭ କରାଇବାରେ ସହାୟକ ହୋଇଥିଲା ବୋଲି ଶ୍ରୀ ବାତ୍ରା କହିଥିଲେ।

ଲିଗ୍‌ ର ଶୁଭାରମ୍ଭ ହେବା ପୂର୍ବରୁ ଯୁବ ଖେଳାଳିମାନଙ୍କ ସହିତ ଶ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାବ ବିନିମୟ କରିଥିଲେ।