Odiapua.com

ସର୍ବନିମ୍ନ ମଜୁରୀ ଦାବି ଜୋର୍ ଧରିଲା

ଭୁବନେଶ୍ୱର, ତା ୨୭ା୦୭ (ଓଡ଼ିଆ ପୁଅ) : ନିକଟରେ ବିଜେଡ଼ି ସାଂସଦ ମା’ ପ୍ରମିଳା ବିଶୋଇ ଲୋକସଭାରେ ଦାବି ରଖିଥିଲେ ଯେ ଅଙ୍ଗନବାଡ଼ି କର୍ମଚାରୀଙ୍କ ବେତନ ସର୍ବନିମ୍ନ ୧୫ ହଜାର ଟଙ୍କା କରାଯାଉ ଏବଂ ଗତକାଲି ଭାରତ ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂହ କର୍ମଚାରୀମାନଙ୍କର ସର୍ବନିମ୍ନ ମଜୁରୀ ଆଜିର ଆଧୁନିକ ଯୁଗରେ ୧୮ ହଜାରରୁ ୨୪ ହଜାର ଟଙ୍କା କରିବା ପାଇଁ ଲୋକସଭାରେ ଏକ ବିବୃତ୍ତି ଦେଇଛନ୍ତି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏକ ନିର୍ଦ୍ଦେଶନାମାରେ “ସମାନ କାମକୁ ସମାନ ଦରମା” ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ‘ସମାନ କାମକୁ ସମାନ ଦରମା’ ଦେବେ କ’ଣ ନିଜେ ସ୍ଥିର କରିଥିବା ସର୍ବନିମ୍ନ ମଜୁରୀ ମଧ୍ୟ ଠିକା କର୍ମଚାରୀମାନଙ୍କୁ ଆମର ରାଜ୍ୟ ସରକାର ପ୍ରଦାନ କରୁନାହାଁନ୍ତି। ନିକଟ ଅତୀତରେ ସବୁ ରାଜନୈତିକ ଦଳର ବିଧାୟକମାନେ ମିଳିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନିଜର ଦରମା ୨୦୦ଗୁଣ ବୃଦ୍ଧି ସହ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି କଲେ। ରାଜ୍ୟର ସମସ୍ତ ସ୍ଥାୟୀ କର୍ମଚାରୀମାନଙ୍କର ସପ୍ତମ ବେତନ ଏବଂ ମହଙ୍ଗା ଭତ୍ତା ବୃଦ୍ଧି ହେଉଥିବା ସତ୍ତ୍ୱେ ଠିକା କର୍ମଚାରୀମାନଙ୍କ କ୍ଷେତ୍ରରେ ୭ମ ବେତନ ତଥା ମହଙ୍ଗା ଭତ୍ତା ତ ଦୂରରେ ଥାଉ ସରକାର ନିର୍ଦ୍ଧାରଣ କରିଥିବା ମୂଳ ଦରମାକୁ ବି ପ୍ରଦାନ କରୁନାହାଁନ୍ତି। ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ପାଇଁ ‘ବଜାରରେ ଯଦି ଆଳୁ କିଲୋ ପ୍ରତି ୩୦ ଟଙ୍କା ହୋଇଥାଏ, ଠିକା କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ହୋଇଥାଏ’ ତେବେ ଏହି କଥାକୁ ରାଜ୍ୟକୁ ପରିଚାଳନା କରିଥିବା ପ୍ରଶାସନିକ ଅଧିକାରୀମାନେ ଜାଣି ରଖିବା ଉଚିତ୍। ସରକାରଙ୍କ ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁପ୍ରକାରର ସରକାରୀ କାର୍ଯ୍ୟକୁ ସଫଳ ରୂପାୟନ କରୁଥିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରତର ସର୍ବଶ୍ରେଷ୍ଠ ପ୍ରଶାସକ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀମାନଙ୍କ ଜୀବିକା ଓ ଜୀବନକୁ ନର୍କକୁ ଠେଲିଦେଇ କିଛି ପ୍ରଶାସନିକ ଅଧିକାରୀମାନେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ଯେଉଁମାନେ କି ରାଜ୍ୟସରକାରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି, ସେମାନଙ୍କୁ ରାଜ୍ୟରେ କ୍ରୀତିଦାସ କରି ଗୋତି କଟାଉଛନ୍ତି। ଏହି ଅସହାୟ କର୍ମଚାରୀମାନେ ଆଜିର ଏହି ମହଙ୍ଗା ଯୁଗରେ ଦୁର୍ଦ୍ଦଶା ଜୀବନ ବିତାଉଛନ୍ତି। ରାଜ୍ୟ ସରକାର ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଗୋଟିଚାଳନା କରି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି କେବଳ କର୍ମଚାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିଲା। ଯାହାର କୌଣସି ଫଳାଫଳ ଏପର୍ଯ୍ୟନ୍ତ ମିଳିଲାନି।

ଏହି ଅଭିଯୋଗ ନେଇ ନିକଟ ଅତୀତରେ ବହୁ ଆନ୍ଦୋଳନ ଓ ଆଲୋଚନା ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ରଂଜନ ମହାନ୍ତିଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ଏବଂ ରାଜ୍ୟ ସରକାରଙ୍କର ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ଏକ ମାସ ମଧ୍ୟରେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ଶାସନ ସଚିବ ଜଣେ ଓଡ଼ିଆ ହୋଇ ମଧ୍ୟ ଓଡ଼ିଶାର ଉଚ୍ଚଶିକ୍ଷିତ ଓ ଉଚ୍ଚ ଆକାଂକ୍ଷା ରଖିଥିବା ଯୁବକଯୁବତୀମାନେ ଯେଉଁମାନେକି ଓଡ଼ିଶାରେ ରହି ଓଡ଼ିଶାକୁ ବିକାଶ କରିବାରେ ମୁଖ୍ୟ ବିନ୍ଧାଣି ହୋଇଥିଲେ। ତାଙ୍କର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଇଛନ୍ତି। ଧିରେ ଧିରେ ଠିକା କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହିଳିବାରେ ଲାଗିଛି। ସରକାର ଏଥିପ୍ରତି ଧ୍ୟାନ ଦେଇ ସପ୍ତମ ବେତନ ଲାଗୁ ସହ ଠିକା ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରନ୍ତୁ, ନହେଲେ ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ସଭାପତି ବିଜୟ ମଲ୍ଲ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି।