Odiapua.com

ସର୍ଟ ଡାଉନର ଦ୍ୱିତୀୟ ପାଳିର ପ୍ରଥମ ଦିନରେ ସହର ନିସ୍ତବ୍ଧ

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସର୍ଟ ଡାଉନର ଦ୍ୱିତୀୟ ପାଳିର ପ୍ରଥମ ଦିନରେ ସବୁଠି ନିସ୍ତବ୍ଧର ରାଜୁତି। ଜିଲାର ସବୁଠି ଖାଁ ଖାଁ, ସବୁଠି ଶୁନ୍ଶାନ୍। କରୋନା ସଂକ୍ରମଣ ନୟାଗଡ଼ ଜିଲାରେ ଦିନକୁ ଦିନ ମାଡ଼ି ମାଡ଼ି ଚାଲିଥିବାବେଳେ ସର୍ଟ ଡାଉନ ଭଳି କଟକଣାରେ ସାମାଜିକ ଦୂରତ୍ୱ ହେଉ ବା ମାସ୍କ କିମ୍ବା ଅନ୍ୟ କୌଣସି କଟକଣାକୁ ମାନୁ ନଥିବା ଅମାନିଆମାନେ ପୁଲିସ ମାଡ଼କୁ ଡରି ଆଜି ଘରେ ବସିବାକୁ ବାଧ୍ୟ ହୋଇଛନ୍ତି। ଲୋକମାନଙ୍କର ଖାତିର ନଥିବା ଉପଲବ୍ଧି କରି ସରକାର ୧୧ଟି ଜିଲା ସମେତ ନୟାଗଡ଼ ଜିଲାରେ ସର୍ଟ ଡାଉନ ଭଳି କଟକଣା ଲାଗୁ କରିଛନ୍ତି। ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ଜୁନମାସ ଗତ ୬ ତାରିଖ ଶନିବାର ଓ ୭ତାରିଖ ରବିବାର ସର୍ଟଡାଉନ ଲାଗୁ କରିଥିଲେ। ସେହିପରି ଆଜି ଶନିବାର ସର୍ଟ ଡାଉନ ପ୍ରଭବାରେ ସହର ଶୁୂନ୍ଶାନ୍ ହୋଇପଡ଼ିଥିଲାବେଳେ ଗାଁ ଗହଳିରେ ପ୍ରଭାବ ଅବଶ୍ୟ ସେତେଟା ଅନୁଭୂତ ହୋଇନଥିବା ଦେଖିବାକୁ ମିଳିଥିଲା। ତେବେ ସର୍ଟଡାଉନ ପ୍ରଭାବରେ ଜିଲାର ଓଡ଼ଗାଁ, ରଣପୁର, ଦଶପଲା, ଖଣ୍ଡପଡ଼ା ସହ ନୟାଗଡ଼ ସହର ଶୁନ୍ଶାନ୍ ଥିବାବେଳେ ଗାଁ ମାନଙ୍କରେ ଢିଲା ବାତାବରଣ ଦେଖାଦେଇଥିଲା। ନୟାଗଡ଼ ସହରରେ କେବଳ ଔଷଧ ଦୋକାନକୁ ଛାଡ଼ି ଆଉସବୁ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିଲା। ରାସ୍ତାରେ ଗମନାଗମନରେ ଲୋକଙ୍କର ଭିଡ଼ ସେତେଟା ଦେଖିବାକୁ ମିଳିନଥିଲା। ହେଲେ ଲକ୍ଡାଉନ କୋହଳ ହେବା ପରେ ସର୍ଟଡାଊନ ହେଲେ ମଧ୍ୟ ସେହି ପୂର୍ବ ଢାଂଚାରେ ଗାଁର ବିଭିନ୍ନ ସ୍ଥାନରେ ଏକାଠି ମିଳିତ ହେବା, ଏକାଠି ବସି ମଉଜ ମଜଲିସ୍ କରିବା ଓ କେତେକ ଖେଳ କୁଦ କରୁଥିବା ପୂର୍ବପରି ଦେଖିବାକୁ ମିଳିଥିଲା। ଯେଉଁମାନେ କୌଣସି ଜରୁରୀ କାମ ନେଇ ଗାଁରୁ ବାହାରକୁ ଯିବେ ସେମାନେ ଗାଁ ମୁଖିଆଙ୍କ ଅନୁମତି ନେଇ ଯିବେ ଏବଂ ଅଯଥାରେ ବାହାରେ ବସି ପାରିବେ ନାହିଁ ବୋଲି ଏପରି ଗାଁ କଟକଣା କେତେକ ଗାଁରେ ଦେଖବାକୁ ମିଳିଛି। ନୟାଗଡ଼ ବ୍ଳକର କାଳିକା ପ୍ରସାଦ ପଂଚାୟତର ଗମେଇ, ନାଗମୁଣ୍ଡୁଳି ଏବଂ ଖୁଟୁବନ୍ଧ ପଂଚାୟତର ଅଶ୍ୱସ୍ତପଡ଼ା ଆଦି ଗାଁ ମାନଙ୍କରେ ଗାଁ କଟକଣା କରାଯାଇଛି। ଅମାନିଆ ହେଲେ ଡରାଣ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି ଜଣାପଡ଼ିଛି। ଏପରି ଅନ୍ୟସବୁ ଗାଁମାନଙ୍କରେ କଟକଣା ଲାଗୁକଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି ମତପ୍ରକାଶ ପାଉଛି। କେବଳ ସହରକୁ ଛାଡ଼ିଦେଲେ ଗାଁ ଗହଳିର ବିଭିନ୍ନ ଛକଜାଗା ମାନଙ୍କରେ ଗହଳି ଚହଳି କମିବା ଦେଖାଯାଇନାହିଁ। ସହର ନିସ୍ତବ୍ୱ ଥିଲାବେଳେ ଗାଁ କଟକଣା ଆହୁରି କଡ଼ାକଡ଼ି କରାଯିବାକୁ ମତପ୍ରକାଶ ପାଇଛି।