Odiapua.com

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଦିବଂଗତ ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, ୧୦ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ମାନସିଂବଜାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଉପଦେଷ୍ଟା ତଥା ବାଲେଶ୍ୱର ବାର ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ନିରଂଜନ ପଣ୍ଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ରାଧାକୃଷ୍ଣ ଆଚାର୍ଯ୍ୟ ଏଥିରେ ପୌରୋହିତ୍ୟ କରିବା ସହିତ ସ୍ୱର୍ଗତ ପଣ୍ଡାଙ୍କ ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ପାଦକ ଗୟାଧର କର, ଉପସଭାପତି ଅଶୋକ କୁମାର ଜେନା, ପ୍ରଧାନ ଆଚାର୍ଯ୍ୟ ବିଜୟଲକ୍ଷ୍ମୀ ଜେନା ପ୍ରମୁଖ ଏଥିରେ ଯୋଗଦେଇ ପରିପୂର୍ଣ୍ଣ ବ୍ୟକ୍ତତ୍ୱ ଭାବେ ସ୍ୱର୍ଗତ ପଣ୍ଡାଙ୍କ ଜୀବନ ଧାରା ଆଜି ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛି ବୋଲି କହିଥିଲେ। ତାଙ୍କର ବିୟୋଗ କେବଳ ମାନସିଂବଜାର ସ୍ୱରସ୍ୱତୀ ବିଦ୍ୟାମନ୍ଦିର ନୁହେଁ, ବରଂ ଜିଲ୍ଲାର ଏକାଧିକ ଅନୁଷ୍ଠାନ ଓ ସଂଗଠନ ପାଇଁ ସୃଷ୍ଟି କରିଥିବା ଅଭାବ ଅପୂରଣୀୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଜଣେ ପ୍ରତିଷ୍ଠିତ ଆଇନଜୀବୀ ସାଙ୍ଗକୁ ସମାଜସେବା, ରାଜନୀତି କ୍ଷେତ୍ରରେ ବି ସେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କର ବିୟୋଗରେ ବାଲେଶ୍ୱରବାସୀ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଦରଦୀ ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି ସମ୍ପାଦକ ଶ୍ରୀ କର ମତ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୁୁରୁମା ଦେବସ୍ମିତା ବେହେରା, ହରପ୍ରିୟା ଭୂୟାଁ, ଆରତୀ ପାତ୍ର, କାବେରୀ ବାରିକଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ଦୀପଦାନ ସହ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ।