Odiapua.com

ସରସ୍ୱତୀ ମହିଳା ମହାସଂଘ ଅର୍ଥ ହଡପ ଘଟଣାର ତଦନ୍ତ, ହଡପ ଅର୍ଥ ଜମା ନ କଲେ କାର୍ଯ୍ୟାନୁଷ୍ଠାନ-ପ୍ରକଳ୍ପ ସଂଯୋଜକ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଏହି ଜିଲାର ବନ୍ତ ବ୍ଲକ ପଧାନପଡା ପଂଚାୟତ ସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ ହୋଇଥିବାର ଅଭିଯୋଗ ହୋଇଥିଲା । ସଂପୃକ୍ତ ମହାସଂଘ ଅଧିନ ସିଆରପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଭଦ୍ରକ ସାଂସଦ, ଜିଲ୍ଲାପାଳ, ପ୍ରକଳ୍ପ ପରିଚାଳକ ଏବଂ ବ୍ଲକ ପ୍ରକଳ୍ପ ପରିଚାଳକଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଉପରିସ୍ତ ଅଧିକାରୀଙ୍କ ଆଦେଶ ମତେ ବନ୍ତ ବିଡିଓ ପ୍ରଦୀପ କୁମାର ସେଠୀ ୪ଜଣିଆ ତଦନ୍ତ କମିଟି ଗଠନ କରି ଘଟଣାର ଖୋଳତାଡ ଜାରି ରଖିଛନ୍ତି । ଏହି କମିଟିରେ ବ୍ଲକ ସମନ୍ୱିତ ଶିଶୁବିକାଶ ଅଧିକାରିଣୀ ରିତାରାଣୀ ମାଝୀ, ପ୍ରକଳ୍ପ ପରିଚାଳକ ଦୁର୍ଗା ପ୍ରସାଦ ଦାସ, ଜୀବିକା ସଂଯୋଜିକା ରଶ୍ମିତା ପଣ୍ଡା, ନୋଡାଲ ଅଫିସର ସ୍ମିତା ପାଣିଗ୍ରାହୀ ରହିଛନ୍ତି । ଇତି ମଧ୍ୟରେ କମିଟି ମହିଳା ମହାସଂଘର ବ୍ୟାଙ୍କରେ ଥିବା ଜମା ଖାତାର ଷ୍ଟେଟମେଂଟ ବାହାର କରି ପ୍ରକୃତରେ କେତେ ଟଙ୍କା ହେରଫେର ହୋଇଛି ତାର ତଦନ୍ତ କରୁଛି । ସମସ୍ତ ତଥ୍ୟ ପଦାକୁ ଆସିବା ପରେ ହେରଫେର ହୋଇଥିବା ଅର୍ଥକୁ ପୁନଶ୍ଚ ଖାତାରେ ଜମା କରିବା ପାଇଁ କୁହାଯିବ । ଏହି କମିଟି ୭ଦିନ ମଧ୍ୟରେ ଖାତା ପତ୍ର ଜାଂଚ କରି ରିପୋର୍ଟ ପ୍ରଦାନ କରିବ ବୋଲି ଜିଲ୍ଲା ପ୍ରକଳ୍ପ ପରିଚାଳକ ସରୋଜ କୁମାର ଦତ କହିଛନ୍ତି । ମୋଟାମୋଟି ଭାବେ ୮ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ହେରଫେର ହୋଇଥିବା ଓ ଇତି ମଧ୍ୟରେ ହେରଫେର ହୋଇଥିବା ୨ଲକ୍ଷ୍ୟ ଟଙ୍କା ଜମା ହୋଇଥିବା ସହ ସମସ୍ତ ଟଙ୍କା ଫେରସ୍ତ ନ କଲେ ଆଇନ ଅନୁଯାୟୀ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଉପରୋକ୍ତ ଘଟଣା ନେଇ ଖଲିଦା ବିବି, ବୈଦେହୀ ସେଠୀ, ଉମାରାଣୀ ଦାସ, ପ୍ରାଚୀ ତ୍ରିପାଠୀ, ମନୋରମା ତରେଇ, କବିତା ନାୟକ, ସୁରଜିତା ବେହେରା, ଇସମତୁନ୍ ଖାତୁନ, ପିଙ୍କି ଜେନା, ତିଳୋତମା ଜେନା, ମାନସୀ ଜେନା, ଜହ୍ନ ଜେନା, ସୁମତୀ ଜେନା, ସୁଲୋଚନା ଜେନା, ଜାନକୀ ଜେନା ପ୍ରମୁଖ ସିଆରପି ଓ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ସମସ୍ତ ବିଭାଗୀୟ ଅଧିକାରୀ, ସାଂସଦଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ।