Odiapua.com

ସରସଦା ସମିତି କୁପରିଚାଳନା; ଆଜିଠୁ ୨୨୦ ଚାଷୀଙ୍କ ପ୍ରତି ୧୩.୭୫% ସୁଧ ଲାଗୁ!, କର୍ମଚାରୀ ଅଭାବକୁ ଦାୟୀ କଲେ ସମ୍ପାଦକ; ଅସ୍ଥାୟୀ କର୍ମଚାରୀ ଯୋଗେ ଦୂର କରାଯିବ ଚାଷୀଙ୍କ ସମସ୍ୟା- ପ୍ରଶାସକ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ କୃଷି ସେବା ସମବାୟ ସମିତିର କୁପରିଚାଳନା ଯୋଗୁଁ ସମିତିର କ୍ଷୁଦ୍ର, ନାମମାତ୍ର ଓ ମଧ୍ୟମ ୨୨୦ ଚାଷୀଙ୍କ ପ୍ରତି ଚଳିତ ୧୮ ତାରିଖ ଠାରୁ ୧୩.୭୫ ପ୍ରତିଶତ ସୁଧ ଲାଗୁ ହୋଇଛି । ଗତ ବର୍ଷ ମଇ ୧୮ ତାରିଖରେ ଶତକଡା ୨ ପ୍ରତିଶଦ ସୁଧ ଓ ପଚାଶହଜାରରୁ କର୍ମ ଋଣୀଙ୍କୁ ବିନା ସୁଧରେ ସରକାର ଖରିଫ ଧାନଚାଷ ପାଇଁ ସରକାରଙ୍କ ପକ୍ଷରୁ ସମିତି ମାଧ୍ୟମରେ ବର୍ଷକ ଋଣ ଯୋଗାଣ ହୋଇଥିଲା । ଋଣ ଗ୍ରହଣର ଅବଧି ଏକ ବର୍ଷ ରଖାଯାଇଥିଲା । ଏକ ବର୍ଷ ମଧ୍ୟରେ ପରିଶୋଧ ନକଲେ ୧୩.୭୫% ସୁଧ ଲାଗୁ କରାଯିବା ବ୍ୟବସ୍ଥା ରଖାଯାଇଥିଲା । ମାତ୍ର ସମିତିର କୁପରିଚାଳନା ପାଇଁ ଚଳିତ ମଇ ୧୮ ତାରିଖରେ ସମିତିର ଏଭଳି ୨୨୦ ଚାଷୀ ଋଣ ପରିଶୋଧ ସୁଯୋଗ ନପାଇ ୧୩.୭୫% ସୁଧ ପରିସରଭୁକ୍ତ ହୋଇ ତଣ୍ଡ ଗଣିବାକୁ ଯାଉଥିବା ଜଣାଯାଇଛି । ସମିତିରେ କର୍ମଚାରୀ ସଙ୍କଟ ଦେଖା ଦେଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ ସୂଚନା ଦେଇଛନ୍ତି । ସମିତିର ଦୁଇଜଣ ଗ୍ରେଡ ୨ କର୍ମଚାରୀ ଅଜୟ କୁମାର ବେହେରା ଓ ବିରଞ୍ôଚ ନାରାୟଣ ରାଉତଙ୍କୁ ନିଲମ୍ବିତ କରାଯାଇଛି । ଧାନକିଣା ସମୟରେ ସମ୍ପାଦକ ଥିବା ନିର୍ମଳ ଚନ୍ଦ୍ର ଦାସଙ୍କୁ ସରସଦା ଦାଇତ୍ୱରୁ ଅନ୍ତର କରିଦିଆଯାଇଛି । ନିଲମ୍ବିତ ଭାରପ୍ରାପ୍ତ ସମ୍ପାଦକ ଶ୍ରୀ ବେହେରାଙ୍କୁ ପୁନଃଅବସ୍ଥାପିତ କରିବା ଯୋଜନା ଗଣମାଧ୍ୟମର ସକ୍ରିୟତା ଯୋଗୁଁ ପଣ୍ଡ ହୋଇଯାଇଛି । ସମିତିର ଦୁରବସ୍ଥାର ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଥିବା ଶ୍ରୀ ବେହେରାଙ୍କୁ ପୁଷ୍ଠପୋଷକତା କରୁଥିବା ବହୁ ଦାଇତ୍ୱ ସମ୍ପନ୍ନ ବ୍ୟକ୍ତି ଏବେ କ୍ଷମତାସୀନ ଥିବାରୁ ଶ୍ରୀ ବେହେରାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ସମିତିକୁ ଅସ୍ଥାୟୀ କର୍ମଚାରୀ ମଙ୍ଗଳବାର ଠାରୁ ଯୋଗାଇ ଦିଆଯାଇଛି । ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଶାସକ ସତ୍ୟ ସେଠୀ ମତ ଦେଇଛନ୍ତି ।