Odiapua.com

ସରସଦା ସମିତିକୁ କଳାକନା ବୁଲାଇଥିବା ନିଲମ୍ବିତ ସମ୍ପାଦକ ଅଜୟ ବେହେରାଙ୍କୁ ବିଭାଗୀୟ ସୁରକ୍ଷା!, ଚପାଇ ଦିଆଯାଇଛି ଦୁଇ ତଦନ୍ତ ରିପୋର୍ଟ; ଶେଷ ଅଭିଯୋଗର ପ୍ରୋସିଡିଂରୁ ପୂର୍ବ ତଦନ୍ତ ରିପୋର୍ଟ ବାଦ୍‌; ୫ଲକ୍ଷ ଡିଲ ଅଭିଯୋଗ

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ ସେବା ସମବାୟ ସମିତିର ନିଲମ୍ବିତ ଭାରପ୍ରାପ୍ତ ସମ୍ପାଦକ ଅଜୟ କୁମାର ବେହେରାଙ୍କ ବିରୋଧରେ ବିଭାଗୀୟ ଡ୍ରାଫ୍‌ଟ ପ୍ରୋସିଡିଂରୁ ପୂର୍ବର ଦୁଇ ତଦନ୍ତ ରିପୋର୍ଟକୁ ବାଦ୍ ଦିଆଯାଇଥିବାରୁ ସମିତିର ପଞ୍ଜିକୃତ ଚାଷୀମାନେ ପ୍ରଶାସନିକ ଅଧିକାରୀଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଏହା ଦ୍ୱାରା ସମିତିର ପଞ୍ଜିକୃତ ଚାଷୀମାନଙ୍କ ଦ୍ୱାରା ହେଉଥିବା ସମସ୍ତ ଅଭିଯୋଗ ଓ ଏକାଧିକ ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଇ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ହେରଫେର କରି ସମିତିକୁ କଳାକନା ବୁଲାଇଥିବା ଶ୍ରୀ ବେହେରାକୁ ବିଭାଗୀୟ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରାଯାଇଛି । ସମିତିର ପଞ୍ଜିକୃତ ଚାଷୀ ରମେଶ ଚନ୍ଦ୍ର ନାୟକ ଓ ଅନ୍ୟମାନେ ଗତ ୨୦୧୯ ମସିହା ନଭେମ୍ବର ମାସ ୨୭ ତାରିଖରେ ଭାରପ୍ରାପ୍ତ ସମ୍ପାଦକ ଶ୍ରୀ ବେହେରାଙ୍କ ବିରୋଧରେ ସାତଦଫା ଅଭିଯୋଗ କରିଥିଲେ । ସମିତିର ସଞ୍ଚୟ ଜମାଖାତା ଅର୍ଥକୁ ଆତ୍ମସାତ କରିବା, ଚାଷୀଙ୍କୁ ମଞ୍ଜୁର ଋଣଅର୍ଥକୁ ହରିଲୁଟ କରିବା, ସମିତି ଅର୍ଥକୁ ଚୋରି କରି ପୁନର୍ବାର ପୈଠ କରିବା, ସମିତିର ରେକର୍ଡ ଆଦିକୁ ଜାଲିୟାତି କରିବା, ଧାନକିଣାରେ ହବୁ ଅନୀୟମିତତା କରିବା ସହ ୨୦୧୯ ବର୍ଷରେ ସମିତିକୁ ଧାନବିକ୍ରୀ କରିଥିବା ବହୁ ଚାଷୀଙ୍କ ପାଊଣାକୁ ବୁଡାଇଦେବା, ଚାଷୀମାନଙ୍କ ଦୁର୍ବବ୍ୟବହାର କରିବା ଭଳି ଗୁରୁତର ଅଭିଯୋଗ ଶ୍ରୀ ବେହେରାଙ୍କ ବିରୋଧରେ କରାଯାଇଥିଲା । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ୨୦୧୯ ମସିହା ଡିସେମ୍ବର ୧୦ ତାରିଖରେ ପତ୍ର ସଂଖ୍ୟା ୫୭୭୭ ଅନୁଯାୟୀ ବ୍ୟାଙ୍କର ସୋରୋ ଶାଖା ପରିଚାଳକ ଶୁଭେନ୍ଦୁ ବିଶ୍ୱାଳଙ୍କୁ ଅଭିଯୋଗର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ।

ଶ୍ରୀ ବିଶ୍ୱାଳ ୨୦୨୦ ଫେବୃୟାରୀ ୧୫ ତାରିଖରେ ସମିତି ପରିସରରେ ସରଜମିନ ତଦନ୍ତ କରିଥିଲେ ଓ ତଦନ୍ତ ରିପୋର୍ଟ ବ୍ୟାଙ୍କର ସମ୍ପାଦକଙ୍କୁ ଅପ୍ରେଲ ମାସରେ ପ୍ରଦାନ କରିଥିଲେ । ପରବର୍ତ୍ତି ସମୟରେ ଅଭିଯୋଗକାରୀ ରମେଶ ଚନ୍ଦ୍ର ନାୟକ ଓ ଶଶି ରଞ୍ଜନ ନାୟକ, ଗଙ୍ଗାଧର ସେନାପତି, ନାଗେଶ୍ୱର ବେହେରା ପ୍ରମୁଖ ଚାଷୀମାନେ ୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ବେହେରାଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ଭଦ୍ରକ ଏଆରସିଏସ ୨୦୨୦ ସେପ୍ଟେମ୍ବର ୭ ତାରିଖରେ ପତ୍ର ସଂଖ୍ୟା ୧୯୮୭ ଅନୁଯାୟୀ ସମବାୟ ନୀରିକ୍ଷକ ଏ.ବି.ସାହାଣୀଙ୍କୁ ତଦନ୍ତ କରିବାକୁ ଆଦେଶ ଦେଇଥିଲେ । ଦ୍ୱିତୀୟ ତଦନ୍ତ ଗତ ଡିସେମ୍ବର ୨୩ ତାରିଖରେ ସମବାୟ ସମିତି ପରିସରରେ ହୋଇଥିଲା । ଇତି ମଧ୍ୟରେ ଛଅ ମାସ ବିତି ଯାଇଛି । ଭାରପ୍ରାପ୍ତ ସମ୍ପାଦକ ଅଜୟ କୁମାର ବେହେରାଙ୍କୁ ଗତ ଜାନୁୟାରୀ ୧୯ ତାରିଖରେ ନୂତନ ଅଭିଯୋଗ ଆଧାରରେ ନିଲମ୍ବିତ କରାଯାଇଥିଲା । ଏବେ ତୃତୀୟ ଅଭିଯୋଗକୁ ନେଇ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରାଯାଇଛି । ମାତ୍ର ପୂର୍ବରୁ ଦୁଇ ତଦନ୍ତ ରିପୋର୍ଟକୁ ଏଡାଇ ଦିଆଯାଇ ନାମକୁ ମାତ୍ର ପ୍ରୋସିଡିଂ କରାଯିବା ପଛରେ ପାଞ୍ଚଲକ୍ଷ ଟଙ୍କା ଡିଲ ହୋଇଛି ବୋଲି ଅଭିଯୋଗକାରୀମାନେ କହୁଛନ୍ତି । ପ୍ରଥମ ତଦନ୍ତକାରୀ ଅଧିକାରୀ ଶ୍ରୀ ବିଶ୍ୱାଳ ବର୍ଷେ ପୂର୍ବରୁ ତଦନ୍ତ ରିପୋର୍ଟ ବ୍ୟାଙ୍କ ସମ୍ପାଦକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଥିବା ବେଳେ ଦ୍ୱିତୀୟ ତଦନ୍ତ ରିପୋର୍ଟର ସ୍ଥିତି ସ୍ପଷ୍ଟ ହୋଇ ନାହିଁ । ଦୁର୍ନୀତିଗ୍ରସ୍ତ ବେହେରାଙ୍କୁ ସୁରକ୍ଷା ଦିଆଯାଇ ସମିତିର ବ୍ୟବସ୍ଥାକୁ ଧ୍ୱଂସ କରାଯାଉଛି ବୋଲି ଚାଷୀମାନେ ବ୍ୟାଙ୍କର ସମ୍ପାଦକ, ଏଆରସିଏସ ଓ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି ।