Odiapua.com

ସରପଞ୍ଚମାନଙ୍କ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟାଳୟ ସମ୍ମୁଖରେ ଗତ ଶୁକ୍ରବାର ଠାରୁ ସରପଞ୍ଚମାନେ ଟି-ଏମ-ସି ପରିଚାଳନା ପାଊଣା ପାଇବା ପାଇଁ ଚଳାଇଥିବା ଧାରଣା ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି। ଜିଲ୍ଲା ପ୍ରଶାସନର ପ୍ରତିନିଧି ଭାବେ ଡି-ଆର-ଡି-ଏ- ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ମହନ୍ତ, ବିଡିଓ ବିଜୟ କୁମାର ସାହୁ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ଧାରଣାସ୍ଥଳକୁ ଯାଇ ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ। ୨୩ ଯାକ ପଞ୍ଚାୟତର ୪୯ ଟି ଟି-ଏମ-ସି- ପରିଚାଳନା ଖର୍ଚ୍ଚ ୧, ୨୬, ୦୮, ୯୪୦ଟଙ୍କା ମଧ୍ୟରୁ ଏ ଯାବତ ମାତ୍ର ୪୦, ୮୪, ୪୮୭ ଟଙ୍କା ପୂର୍ବରୁ ପୈଠ କରାଯାଇଛି। ବକେୟା ଥିବା ଟି-ଏମ-ସି- ପରିଚାଳନା ୮, ୫୨୪, ୪୫୩ ଅର୍ଥ ମଧ୍ୟରୁ ଆଗାମୀ ତିନି ଦିନ ମଧ୍ୟରେ ଅଧା ପୈଠ ହେବ ଓ ଅବଶିଷ୍ଟ ଆଗାମୀ ପନ୍ଦର ଦିନ ମଧ୍ୟରେ ପୈଠ କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରପଞ୍ଚମନେ ଧାରଣାରୁ ଓହରି ଆସିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଜୁନ ମାସ ୨୩ ତାରିଖରୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି-ଏମ-ସି-) ବନ୍ଦ ହୋଇଛି। ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି-ଏମ-ସି-) ପରିଚାଳନା ବାବଦକୁ ଖର୍ଚ୍ଚ କରିଥିବା ଅର୍ଥର ପ୍ରମୁଖ ଭାଗ ପାଇବା ପାଇଁ ବ୍ଲକରେ ବିଲ ଗତ ଜୁନ ମାସ ଶେଷ ସୁଦ୍ଧା ଦାଖଲ କରିସାରିଥିଲେ। ଅବଶିଷ୍ଟ ଅର୍ଥ ପାଇର୍ ଗତ ତିନି ମାସ ଧରି ଅପେକ୍ଷା କରିବାକୁ ପଡିଛି। ସରପଞ୍ଚମାନଙ୍କୁ ଏଥିପାଇଁ ଅର୍ଥ ପ୍ରଦାନ କରିଥିବା ବ୍ୟକ୍ତି ଓ ସଂସ୍ଥା ଅର୍ଥ ଫେରସ୍ତ ପାଇଁ ମାତ୍ରାଧିକ ଚାପ ପ୍ରାୟାଗ କରୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଅର୍ଥ ପ୍ରଦାନ କରିବା ବଦଳରେ କେବଳ ପ୍ରତିଶ୍ରୁତି ଦେଉଛନ୍ତି। ସରପଞ୍ଚଙ୍କୁ ଜିଲ୍ଲାପାଳ ଉପାଧି ଦେଇ ସରକାର ଏହାଦ୍ୱାରା ଉପହାସ କରୁଛନ୍ତି ବୋଲି ବହୁ ସରପଞ୍ଚ ମତ ଦେଇ ଧାରଣା ଦେଇଥିଲେ। ମଙ୍ଗଳବାର ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ଅଲିଭା ନାୟକ, ରିତାଞ୍ଜଳୀ ସାମଲ, ବଦ୍ରୀନାରାୟଣ ରାଉତ, କମଳ କୁମାର ନନ୍ଦ, ବିଜୟ ଶଙ୍କର ମହାନ୍ତି, ରଞ୍ଜୁଲତା ସେଠୀ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସି ରହିଥିଲେ।