Odiapua.com

ସରପଞ୍ଚଙ୍କ ଠାରୁ ସାଂସଦ, ମତ୍ସ୍ୟଜୀବିଙ୍କ ପାଇଁ ଧାମରାରେ ଗଣତନ୍ତ୍ର ମଞ୍ଚ, ଏକାଦଶ ସାଗର ପରିକ୍ରମାର ଏକ ବଡ଼ ସଫଳତା – କେନ୍ଦ୍ରମନ୍ତ୍ରୀ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକାଦଶ ସାଗର ପରିକ୍ରମା ଆୟୋଜନ ଅବସରରେ ଗୁଜୁରାଟ ରୁ ଶୁଭାରମ୍ଭ କରି ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, କେରଳ, ଆନ୍ଧ୍ର ପରେ ଓଡ଼ିଶା ପ୍ରବେଶ କରି ଭଦ୍ରକ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ଚାନ୍ଦବାଲି ଓ ବାସୁଦେବପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଧାମରାର ମାଛଧରା ଜେଟି ପାଖରେ ଅବସ୍ଥିତ ଗଙ୍ଗାମାତା ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ, ପଶୁ ଓ ଗୋପାଳନ ମନ୍ତ୍ରୀ ପରଶୋତ୍ତମ ରୁପାଲା ଯୋଗ ଦେଇ ମତ୍ସ୍ୟଜୀବିମାନଙ୍କ ଅଭିଯୋଗ ଶୁଣିବା, ସେମାନଙ୍କ ସମସ୍ୟା ଜାଣିବା ଏବଂ ସମାଧାନ ପାଇଁ ସରକାରଙ୍କୁ ଅବଗତ କରାଇ ପଦକ୍ଷେପ ଗ୍ରହଣ କରାଯିବା ନେଇ ସାଗର ପରିକ୍ରମାର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରକାଶ କରିଥିଲେ । ମତ୍ସ୍ୟଜୀବିମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସଦୁପଯୋଗ କରି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ପ୍ରଦାନ କରିଥିଲେ । ସ୍ଥାନୀୟ ମତ୍ସ୍ୟଜୀବି ସଂଘର କର୍ମକର୍ତ୍ତା, ସ୍ତାନୀୟ ଜନପ୍ରତିନିଧି, ହିତାଧିକାରୀମାନଙ୍କ ଠାରୁ ସେମାନଙ୍କର ଦାବୀ, ସମସ୍ୟା ଓ ଅଭିଯୋଗ ସମ୍ବନ୍ଧରେ ଶୁଣିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ମନ୍ତ୍ରୀଙ୍କ ସହଧର୍ମିଣୀ ସବିତା ବେନ୍ ରୁପାଲା, ବି.ଜେ.ପି. ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, ଧାମରା ସରପଞ୍ଚ ସୁରେଶ ସେଠୀ, ପଞ୍ଚାୟତ ସମିତି ସଦସ୍ୟ ପ୍ରିୟ ରଞ୍ଜନ ଜେନା, ସଂପୃକ୍ତ ବିଭାଗୀୟ କେନ୍ଦ୍ର ସଚିବ ଅଭିଳାଷ ଦୀକ୍ଷିତ, ଯୁଗ୍ମ ସଚିବ ନୀତୁ ପ୍ରସାଦ, ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକ ଏସ୍‌.କେ.ସିଦ୍ଦିକ୍ ଆଲାମ୍ ପ୍ରମୁଖ ଯୋଗ ଦେଇଥିଲେ । ୨୫ ହଜାରରୁ ଅଧିକ ମତ୍ସ୍ୟଜୀବି ବାସ କରୁଥିବା ଧମାରାରେ ବତୀ ଘର ନିର୍ମାଣ, ମାଛଧରା ବନ୍ଦ ରହୁଥିବା ଅବଧି ୭ ମାସରୁ ୫ ମାସକୁ ହ୍ରାସ, ମାଛଧରା ବନ୍ଦ ରହୁଥିବା ଅବଧିରେ ମତ୍ସ୍ୟଜୀବିମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ମାଛଧରା ଅଞ୍ଚଳ ଚିହ୍ନଟ, ରୂଡ଼ାମଣି, କଷିଆ ଆଦି ଜେଟିର ଉନ୍ନତି କରଣ, ଡ଼ିଜେଲ ସବ୍‌ସିଡ଼ି, ରେଗୁଲାର ପେଟ୍ରୋଲିଂ, ଡ଼୍ରେଜିଂ ସମସ୍ୟା ଆଦି ସମ୍ବନ୍ଧରେ ବିଧାୟକ, ସାଂସଦ ଦାବୀପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ମଧ୍ୟରେ କିଷାନ୍ କ୍ରେଡ଼ିଟ୍ କାର୍ଡ଼ ବଣ୍ଟନ କରାଯିବା ସହିତ ବରଫକଳ ଆଧୁନିକ କରଣ, ବାୟୋଫ୍ଲୋକ୍‌ରେ ମତ୍ସ୍ୟଚାଷ, ନୂତନ ପୋଖରୀ ଖନନ, ମତ୍ସ୍ୟ ବ୍ୟବସାୟ କେନ୍ଦ୍ର ନିର୍ମାଣ ଆଦି ଯୋଜନାରେ ସଂପୃକ୍ତ ହିତାଧିକାରୀମାନଙ୍କୁ ସବ୍‌ସିଡ଼ି ଅର୍ଥ ବାବଦ ଚେକ୍ ମନ୍ତ୍ରୀଙ୍କ ପ୍ରଦାନ କରାଯାଇଥିଲା ।

ଧାମରାର ଚାନ୍ଦନିପାଳ ଅଞ୍ଚଳର ଗସ୍ତ କରି ମନ୍ତ୍ରୀ ସେଠାକାର ମତ୍ସୀଜୀବିମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କର ଆବଶ୍ୟକତା ଓ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଚାନ୍ଦବାଲି ବି.ଡ଼ି.ଓ. ଅସୀତ କୁମାର ମହାନ୍ତି ପ୍ରମୁଖ ଧାମରାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ପରେ ପରେ ବାସୁଦେବପୁର ବ୍ଲକ୍ ଚୁଡ଼ାମଣି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ବନ୍ଧରେ ଶୁଣିଥିଲେ । ସେଠାରେ ମଧ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସବସିଡ଼ି ଅର୍ଥର ଚେକ୍ ବଣ୍ଟନ କରିଥିଲେ । ମାନନୀୟା ସାଂସଦ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଣ୍ଡଳ, ଉପଜିଲ୍ଲାପାଳ ମନୋଜ ପାତ୍ର ଏବଂ ଅନ୍ୟମାନେ ମନ୍ତ୍ରୀଙ୍କ ସହ ମଞ୍ଚାସୀନ ଥିଲେ । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ଏହି କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । ମତ୍ସ୍ୟବିଭାଗର ମଣ୍ଡଳସ୍ତରୀୟ ଉପନିର୍ଦ୍ଦେଶକ ଦୀପ୍ତିରଂଜନ ମହାପାତ୍ର, କ୍ଷାରୀଜଳ ମତ୍ସ୍ୟ ଚାଷର ଉପମୁଖ୍ୟନିର୍ଦ୍ଦେଶକ ବସନ୍ତ କୁମାର ଦାସ, ଜିଲ୍ଲା ମତ୍ସ୍ୟଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ମେରାଇନ୍ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସି.ଏସ୍‌.ପଲାଇ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମୟୁରୀ ବେହେରା, ସହାୟକ ମତ୍ସ୍ୟଧିକାରୀ ରିତୁପୂର୍ଣ୍ଣା ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।