Odiapua.com

ସରପଞ୍ଚଙ୍କୁ ପ୍ରଶାସନର ଅସହଯୋଗ ପ୍ରତିବାଦରେ ଜିଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢୀଙ୍କୁ ପ୍ରଶାସନର ଅସହଯୋଗ ପ୍ରତିବାଦରେ ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଆରଡି ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ଶଙ୍ଖୁଆ ପଂଚାୟତ କାର୍ଯ୍ୟରେ କୌଣସି ପ୍ରକାର ସହଯୋଗ କରୁନାହାଁନ୍ତି। ଏପରିକି ପଞ୍ଚାୟତରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପଂଚାୟତର କ୍ୟାସବୁକ୍ ଏବଂ ପଂଚାୟତର ବିଭିନ୍ନ କାଗଜପତ୍ର ସରପଞ୍ଚ ଜାଣିବା ପାଇଁ ଚାହୁଁଥିଲେ ମଧ୍ୟ ଦେଖାଉନାହାଁନ୍ତି। ଯାହାଫଳରେ ପଂଚାୟତର ବିକାଶ କାର୍ଯ୍ୟରେ ବିଭିନ୍ନ ପ୍ରକାର ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଆରଡି ସରପଞ୍ଚ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା। ଶେଷରେ ଆଜି ଆରଡି ସରପଞ୍ଚ ସମେତ ପଞ୍ଚାୟତର ଲୋକଙ୍କ ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ଶଙ୍ଖୁଆ ଉପରେ ତୁରନ୍ତ ପଦକ୍ଷେପ ଦାବି କରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।