ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଜନପ୍ରତିନିଧି ଙ୍କ ଦାଦାଗିରି ଚରମ ସୀମାରେ ପହଂଚିଛି। ରାଧାବଲ୍ଲଭପୁର ପଂଚାୟତର ସରପଂଚ ପ୍ରୀତମ ଦାସ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଜଣେ ଜଳସମ୍ପଦ ବିଭାଗର କର୍ମଚାରୀଙ୍କୁ ଅମାନୁଷିକ ଭାବେ ମାଡ଼ପିଟ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ସୁଚନା ଥାଉକି ଗତ ୮ ଜୁନ୍ (୨୦୨୬) ସକାଳ ପ୍ରାୟ ୯:୧୦ ସମୟରେ ଭଣ୍ଡାରିପୋଖରୀ ଜଳସେଚନ ବିଭାଗର ଅଫିସ କର୍ମଚାରୀ ରବୀନ୍ଦ୍ର କୁମାର ଲେଙ୍କା ପାଣ୍ଡୁ ବଜାର ୪ ନମ୍ବର କେନାଲ ନିକଟସ୍ଥ ମାଙ୍କିଡ଼ିଆ ଠାରେ ସରକାରୀ ଦାୟିତ୍ୱ ସମ୍ପାଦନ କରୁଥିଲେ। ଏହି ସମୟରେ ସରପଂଚ ପ୍ରୀତମ ଦାସ ସେଠାରେ ପହଂଚି ବେଆଇନ ଭାବେ କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ। ରବୀନ୍ଦ୍ର ଏହାକୁ ବିରୋଧ କରିବାରୁ ସରପଞ୍ଚ ଉଗ୍ରରୂପ ଧାରଣ କରି ତାଙ୍କୁ ସର୍ବସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶାରୀରିକ ଭାବେ ଆକ୍ରମଣ ଓ ମାଡ଼ପିଟ କରିଥିଲେ। ଏପରିକି ସେଠାରୁ ନ ଗଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।ଏହି ଘଟଣାକୁ ନେଇ ଭଣ୍ଡାରିପୋଖରୀ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ କିରଣବାଳା ପରିଡ଼ା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସରପଂଚଙ୍କ ବିରୋଧରେ କେସ ନମ୍ବର ୨୫୪ (ତା ୦୮/୦୬/୨୦୨୬) ରୁଜୁ କରି ତଦନ୍ତ ଚଳାଇଛି।ଅପର ପକ୍ଷେ ପ୍ରୀତମ ଦାସ ଙ୍କ ଅଭିଯୋଗ କ୍ରମେ ସେହିଦିନ କେଶ ନମ୍ୱର୍ ୨୫୫/୨୬ ରେ ମଧ୍ୟ ଅଭିଯୋଗ କରିଛନ୍ତି।ପୋଲିସ ଉଭୟ ପକ୍ଷ ଅଭିଯୋଗ ରଖି ତଦନ୍ତ କରୁଛି।ଅପରପକ୍ଷେ କନିଷ୍ଟ ଯନ୍ତ୍ରୀ ମିଥ୍ଯା ଅଭିଯୋଗ କରିଛନ୍ତି ବୋଲି ସରପଂଚ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।ସୂଚନାଯୋଗ୍ୟ ଯେ, ସରପଂଚ ପ୍ରୀତମ ଦାସଙ୍କ ଏଭଳି ଆଇନ ହାତକୁ ନେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ନାମରେ ଧାମନଗର ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି, ଯାହା ବର୍ତମାନ ସ୍ଥାନୀୟ କୋର୍ଟରେ ବିଚାରାଧୀନ ଅଛି। ସେଗୁଡ଼ିକ ମଧ୍ୟରେ ୨୦୨୪ ମସିହାର ବେଆଇନ ଅଟକ ଓ ଅପରାଧିକ ଧମକ ମାମଲା (ଏଫାୟାର- ୪୦୪/୨୦୨୪) ଚୂଡ଼ାନ୍ତ ଫର୍ମ ପର୍ଯ୍ୟାୟରେ ଥିବା ବେଳେ, ୨୦୨୫ ମସିହାର ଅଶ୍ଳୀଳ ଗାଳିଗୁଲଜ ଓ ଜୀବନରୁ ମାରିବା ଧମକ ଭଳି ଆଉ ଏକ ଗୁରୁତର ମାମଲା (ଏଫାୟାର- ୧୨୭/୨୦୨୫) ବର୍ତମାନ କୋର୍ଟ ହାଜିରା ପର୍ଯ୍ୟାୟରେ ରହିଛି। ଏହି ଦୁଇଟିଯାକ ମାମଲାର ଶୁଣାଣି ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଜଣେ ଦାୟିତ୍ୱବାନ ଜନପ୍ରତିନିଧି ହୋଇ ବାରମ୍ବାର ଆଇନକୁ ଫୁ କରିବା ଏବଂ କର୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରକୁ ହାତ ଉଠାଇବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ତୀବ୍ର ନିନ୍ଦା କରିଛନ୍ତି। ଏହି ନୂତନ ମାମଲା ପରେ ପୋଲିସ ସରପଂଚଙ୍କ ବିରୋଧରେ କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଘଟଣା ର ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାଶ କହିଛନ୍ତି।ପ୍ରକାଶ ଥାଉକି ଉକ୍ତ ଯନ୍ତ୍ରୀ ଜଣ ଙ୍କ ଅଧିକାଂଶ ସମୟରେ କାର୍ଯ୍ୟ ଉପରକୁ ନ ଆସି ବିଭିନ୍ନ ଦଲାଲ ଙ୍କ ଦ୍ୱାରା କାର୍ଯ୍ୟ କରୁଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି।