ବାଲେଶ୍ୱର, ୨୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଭଦ୍ରକର ଧର୍ମଗୁରୁ ସୟଦ ୱାସିମ୍ ଅଖତର କାଦ୍ରି ବା ଛୋଟ ସରକାର ବାବାଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ ବାଲେଶ୍ୱର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଦରଘା ମୈଦାନରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ, ଯୁବନେତା ମାନସ ଦାସ ପଟ୍ଟନାୟକ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ସାହିରୁଲ ହକ୍, ସମାଜସେବୀ ମନୋଜ ପୋଦାର ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଭଳି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ସଂସ୍କାରକ ଛୋଟ ସରକାର ବାବାଙ୍କ ଜନ୍ମ ଦିବସକୁ ପାଳନ କରିବା ନିଷ୍ପତି ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ କହିଥିଲେ। ସାମ୍ପ୍ରତିକ ସମାଜରେ ରକ୍ତର ଅଭାବ ପୂରଣ କ୍ଷେତ୍ରରେ ଅଖିଳ ଭାରତୀୟ ଦୁଃଖି ସମାଜର ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ରକ୍ତଭଣ୍ଡାର ଓ କଟକ ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଛୋଟ ସରକାର ବାବାଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ ବାଲେଶ୍ୱର ଶାଖା ପକ୍ଷରୁ ସକାଳେ ସହର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସହରର ପ୍ରମୁଖ ରାସ୍ତାଗୁଡିକର ସଫେଇ କରିଥିଲେ। ସଂଗଠନର ଏତାଦୃଶ ସମାଜଗଠନମୂଳକ କାର୍ଯ୍ୟଧାରକୁ ସହରବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି। ସଂଗଠନର ସଭାପତି ମହମ୍ମଦ ଜାହିଦ୍, ସମ୍ପାଦକ ନାତିକ୍ ଖାନ୍ଙ୍କ ସମେତ ଶେଖ୍ ମେହେମୁଦ୍, ଶେଖ୍ ତାରିକ୍, ଆବିଦ୍ ମହମ୍ମଦ, ହାଇଦର ଖାନ୍ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।