Odiapua.com

ସରକାରୀ ସାହାଯ୍ୟରେ ବାଧକ ସାଜିଛି ନିୟମ, ୧୬ବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ଶଯ୍ୟାଶାୟୀ ପୂର୍ଣ୍ଣିମା

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣିମା ନାୟକ ଉଠି ବସି ନପାରି ଗତ ୧୬ ବର୍ଷ ଧରି କେବଳ ଶୋଇ ରହୁଛନ୍ତି । କିନ୍ତୁ ଏପରି ସ୍ଥଳେ ସରକାରୀ ସ୍ତରରେ ସେ କେବଳ ମାସିକ ୫୦୦ଟଙ୍କା ଉତ୍ତା ପାଉଛନ୍ତି । ସରକାରୀ ତଥା ବେସରକାରୀ ସ୍ତରରେ ଥିବା ବିଭିନ୍ନ ସଂଗଠନ ଗରିବ, ନିଃସ୍ୱ ଲୋକମାନଙ୍କୁ ସାହାର୍ଯ୍ୟ କରୁଥିବାର ଡିଂଡିମ ପିଟୁଥିବା ବେଳେ ପୂର୍ଣ୍ଣିମାକୁ ସହାୟତା ପ୍ରଦାନ କରିବା ପାଇଁ ଜଣେ ହେଲେ କେହି ହାତ ନ ବଢାଇବା ବଡ଼ ଦୁଃଖ ଓ ବିଡ଼ମ୍ବନାର ବିଷୟ । ସରକାର ଦୁଃସ୍ଥ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରସ୍ତୁତ କରି ଏଥି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଯୋଜନା ଗୁଡ଼ିକ ଫଳପ୍ରଦ ହେଉଛିକି ପଥ ଭ୍ରଷ୍ଟ ହେଉଛି ସେଥିପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆଯାଉ ନଥିବା ପୂର୍ଣ୍ଣିମା ନାୟକଙ୍କ କ୍ଷେତ୍ରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଖବରରୁ ପ୍ରକାଶ : ପୂର୍ଣ୍ଣିମାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ସେତେବେଳେ ତାଙ୍କ ବାପା ତାଙ୍କୁ ବିବାହ କରି ଦେଇଥିଲେ । ସ୍ୱାମୀ ସ୍ତ୍ରୀଙ୍କ ସଂପର୍କ ଠିକ୍ ନରହିବାରୁ ସେ ବିବାହର ବର୍ଷେ ପରେ ଆସି ନିଜ ବାପଘରେ ରହୁଛନ୍ତି । ତାଙ୍କ ବାପା,ମା ଓ ଭାଇଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟଏକ ଭାଇ ଜଜମାନ କାମ କରି ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ ସୁଦ୍ଧା ପୂର୍ଣ୍ଣିମାକୁ ନିଜ ଘରେ ଆଶ୍ରୟ ଦେଇ ତାଙ୍କ ସେବା ଶୂଶୃଷା କରୁଛନ୍ତି ।

ନିଜ ରୋଜଗାରରେ ନିଜ ପରିବାରକୁ ଠିକ୍ ଭାବେ ଚଳାଇ ପାରୁ ନଥିବା ବେଳେ ପୂର୍ଣ୍ଣିମା ବୋଝ ଉପରେ ଲଳୀତା ବିଡ଼ା ସଦୃଶ ପାଲଟିଛନ୍ତି ତାଙ୍କ ଭାଇଙ୍କ ପାଇଁ । ୨୦୦୩ ମସିହାରେ ପୂର୍ଣ୍ଣିମାଙ୍କ ଆଣ୍ଠୁ ଗଣ୍ଠି ଧରିଲା । ଆସ୍ତେ ଆସ୍ତେ ସେ ଆଉ ଚଲାବୁଲା କରି ପାରିଲେ ନାହିଁ । ଆର୍ଥିକ ଅନାଟନ ଚିକିତ୍ସାରେ ଅନ୍ତରାୟ ସୃଷ୍ଟି କଲା । ପ୍ରାଥମିକ ଚିକିତ୍ସା ପରେ ସେ ଆଜିକୁ ୧୬ ବର୍ଷ ଧରି ଶଯ୍ୟାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଦୀର୍ଘ ବର୍ଷ ଧରି କେବଳ ଶୋଇ କରି ରହିବା ବଡ଼ କଷ୍ଟ ଓ ଯନ୍ତ୍ରଣା ଦାୟକ ଅଟେ । ଦିନକୁ ଦିନ ତାଙ୍କ ହାତ ଗୋଡ଼ ସବୁ ବଙ୍କା ହୋଇଯାଉଛି ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଟ୍ରାଇସାଇକେଲଟିଏ ମଧ୍ୟ ଯୋଗାଇ ଦିଆଯାଇପାରିନାହିଁ । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବାପରେ ପ୍ରଶାସନିକ ସ୍ତରରେ ଦୀର୍ଘ ୧୫ବର୍ଷ ପରେ ତତ୍ପରତା ପ୍ରକାଶ ପାଇଥିଲା ଓ ଗତ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତତ୍କାଳିନ ବିଡ଼ିଓ,ସାମାଜିକ କଲ୍ୟାଣ ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଘଟଣା ସ୍ଥଳକୁ ଆସି ମୁଖ୍ୟମଂତ୍ରୀ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିିଥିଲେ । ଯାହାକି ସମୁଦ୍ରକୁ ଶଂଖେ । ବିଡ଼ମ୍ବନାର ବିଷୟ ୧୦ହଜାର ଟଙ୍କା ପ୍ରଦାନ ପ୍ରତିବଦଳରେ ଅନ୍ନପୂର୍ଣ୍ଣା ଯୋଜନାରେ ପୂର୍ଣ୍ଣିମାଙ୍କୁ ବାଦ ଦିଆଯାଇଥିଲା । ବର୍ତ୍ତମାନ ସରକାରଙ୍କ ନୂତନ ନିୟମାନୁସାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଅନଊାଇନରେ ନାମପଂଜିକରଣ ବାଧ୍ୟତାମୂଳକ ହୋଇଥିବାରୁ ପୂର୍ଣ୍ଣିମା କିପରି ଆବେଦନ କରିବେ? ତାଙ୍କର ଅଙ୍ଗୁଳିଗୁଡ଼ିକ ସଂପୂର୍ଣ୍ଣ ବଙ୍କା ଓ କାର୍ଯ୍ୟହୀନ ହୋଇପଡ଼ିଛି । ଯଦି ସେ ଆବେଦନ କରିବାରେ ଅକ୍ଷମ ହୁଅନ୍ତି ତେବେ ଭତ୍ତାରୁ ମଧ୍ୟ ବଂଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।