ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନେ ନୁହେଁ କି ଦୁଇଦିନ ନୁହେଁ ଆଜକୁ ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ହେବ ଗୃହବନ୍ଦୀ ଅବସ୍ଥାରେ ଥିବା ୩ ଟି ପରିବାରର ଦୁଇଜଣ ସଦସ୍ୟ ଆଜି ନ୍ୟାୟ ନପାଇ ପୂର୍ବ ଘୋଷଣା ମତେ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଏହି ଜିଲାର ତିହିଡି ତହସିଲ ଅନ୍ତର୍ଗତ ଅଚକ ଗ୍ରାମପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମରେ । ମିଳିଥିବା ତଥ୍ୟ ଅନୁଯାୟୀ ଗତ ଜୁଲାଇ ୨୧ ତାରିଖରୁ ଆଜିପର୍ଯ୍ୟନ୍ତ ୩ଟି ପରିବାରର ମୁଖ୍ୟ ରବିନ୍ଦ୍ର ଭଂଜ, ବୀରେନ୍ଦ୍ର ଭଂଜ, ଗୋପବନ୍ଧୁ ଭଂଜଙ୍କର ମୋଟ ୧୧ ଜଣ ପରିବାର ଲୋକେ ଘରୁ ବାହାରକୁ ବାହାରି ପାରୁଛନ୍ତି ନା କାମଧନ୍ଦା ପାଇଁ କୁଆଡେ ଯାଇପାରୁଛନ୍ତି । ଅପରପକ୍ଷ ପିତାମ୍ବର ଭଂଜ ଏବଂ ଶ୍ୟାମସୁନ୍ଦର ଭଂଜଙ୍କ ସହ ଘେରାବନ୍ଦୀରେ ଜୀବନ ଅତିବାହିତ କରୁଥିବା ପରିବାର ଲୋକଙ୍କ ମଧ୍ୟରେ ଦୀର୍ଘ ୨୫ ବର୍ଷ ହେବ ଜମିବାଡି ବିବାଦ ଲାଗିରହିଥିଲା । ଏବେ ଘେରାବନ୍ଦୀରେ ଥିବା ପରିବାର ଲୋକେ ଯାତାୟତ କରୁଥିବା ରାସ୍ତାଟି ଏକ ସରକାରୀ ପ୍ଲଟ୍ ହୋଇଥିଲେ ମଧ୍ୟ ଅପରପକ୍ଷ ପିତାମ୍ବର ଭଂଜ ଏଭ ଘର ନିର୍ମାଣ କରିଛନ୍ତି । ଯାହାକି ଘେରାବନ୍ଦୀରେ ଥିବା ପରିବାର ପାଇଁ ବାଟ ଓଗାଳିଛି । ସଂପୃକ୍ତ ପରିବାର ଶେଷରେ ପୋଖରୀ ହୁଡାରେ ନଡିଆ ଗଡ ପକାଇ ରାସ୍ତାକରି ଯିବାଆସିବା କରୁଥିଲେ । କିନ୍ତୁ ଅପରପକ୍ଷ ତାହା ସହ୍ୟ କରିନପାରି ଯାତାୟତ ରାସ୍ତାରେ କଣ୍ଟା ଓ ଅଳିଆ ଆବର୍ଜନା ପକାଇ ତାକୁ ଅବରୋଧ କରି ରଖିଛନ୍ତି । ଫଳରେ ଦିନ ମଜୁରି କରି ପେଟ ପୋଷୁଥିବା ଉକ୍ତ ୩ଟି ପରିବାର ଲୋକେ ଘେରାବନ୍ଦୀରେ ଥାଇ ବାହାରକୁ କାମ କରିବାକୁ ଯାଇ ପାରୁନାହାଁନ୍ତି । ଏହି ଘଟଣାରେ ସଂପୃକ୍ତ ପରିବାର ଗ୍ରାମର ମୁଖିଆ ଲୋକ ତଥା ସରପଞ୍ଚଙ୍କ କଥାକୁ ମଧ୍ୟ କାନକୁ ନେଲେନାହିଁ । ଫଳରେ ସରପଞ୍ଚ ଓ କିଛି ସହୃଦୟ ବ୍ୟକ୍ତି ୩ଟି ପରିବାରର ସମସ୍ତ ଖାଦ୍ୟପେୟର ବ୍ୟବସ୍ଥା ଏପର୍ଯ୍ୟନ୍ତ କରିଚାଲିଛନ୍ତି । କରୋନା ଭଳି ମହାମାରୀ ସମୟରେ ବର୍ତ୍ତମାନର ସଭ୍ୟ ସମାଜରେ ଏଭଳି ଅଭାବନୀୟ ଘଟଣା ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ଏହି ପରିବାରରେ ଥିବା ଦୁଇଜଣ ଛୋଟ ପିଲା ଓ ବୁଢାବୁଢିଙ୍କ ଦେହ ଅସୁସ୍ଥ ଥିଲେ ମଧ୍ୟ ଡାକ୍ତରଖାନା ଯାଇପାରୁନାହାଁନ୍ତି କି କୌଣସି ଔଷଧ ଓ ବିଦ୍ୟୁତ୍ ସେବା ପାଇପାରୁନାହାଁନ୍ତି । ଏଥିନେଇ ଭଦ୍ରକ ଜିଲାପାଳ, ଏସ୍ପି, ତିହିଡି ଥାନାଧିକାରୀ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏଣୁ ଉକ୍ତ ପରିବାରର ସଦସ୍ୟମାନେ ନ୍ୟାୟ ନପାଇ ଆଗାମୀ ଦିନରେ ଉକ୍ତ ଘଟଣାର ସମାଧାନ ନହେଲେ ବିଷ ପିଇ ଆତ୍ମହତ୍ୟା କରିବେ ଓ ଏଥିପାଇଁ ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ଚେତାବନୀ ଦେଇଥିଲେ । ଏହି ଘଟଣାର କୌଣସି ସମାଧାନ ଆଜିପର୍ଯ୍ୟନ୍ତ ନହେବାରୁ ଶେଷରେ ପରିବାରର ଦୁଇଜଣ ସଦସ୍ୟ ବିଷ ପିଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।