Odiapua.com

ସରକାରୀ ଯୋଜନାର ସଫଳ ପ୍ରଣୟନ ନେଇ ବିଧାୟକ ଓ ପ୍ରଶାସନର ବୈଠକ : ଯୋଜନାରେ ସଫଳତା ଉପରେ ଗୁରୁତ୍ୱାରୋପ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂପ୍ରତି ଦେଶରେ ଦେଖା ଦେଇଥିବା ମହାମାରୀ କରୋନା ରାଜ୍ୟବାସୀଙ୍କୁ ବହୁପଛକୁ ନେଇ ଯାଇଛି । ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଉଛି । ଜିଲ୍ଲାରେ ସେହିସବୁ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଜନ ପ୍ରତିନିଧିଙ୍କ ଭୂମିକା ବହୁ ଅଧିକ । ଏଥିଲାଗି ଆଜି ଜିଲ୍ଲା ପ୍ରଶାସନ ଏବଂ ଭଦ୍ରକ ସାଂସଦ, ବିଧାୟକମାନଙ୍କର ଏକ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସ ବୈଠକରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡ. ଦାସ ସୂଚନା ଦେଇ ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ଯୋଜନା ସବୁର ରୂପରେଖ ଉପସ୍ଥାପନ କରିଥିଲେ । ବିଶେଷ କରି କୃଷି, ଉଦ୍ୟାନ, ପଶୁ ପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ଜିଲ୍ଲାବାସୀ କିପରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗ ଗୁଡିକରେ ସରକାର ନେଇଥିବା ଯୋଜନା ସବୁକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ଏହାର ଲାଭ କିପରି ସାଧାରଣ ଲୋକ ପାଇ ପାରିବେ ସେ ସମ୍ପର୍କରେ ଜନ ସଚେତନତା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଲୋକେ ସଚେତନ ହେଲେ ଏହାର ସଫଳ ରୂପାୟନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଲାର ଏହି ସବୁ ବିଭାଗ ଗୁଡିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ତଥ୍ୟ ଉପସ୍ଥାପନ କରିଥିଲେ । ଯୋଜନାର ସଫଳ ରୂପାୟନ ପାଇଁ ଅଧିକ କେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରେ ସେ ସମ୍ପର୍କରେ ସାଂସଦ ଏବଂ ବିଧାୟକମାନେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ସମସ୍ତଙ୍କ ମତାମତ ଏବଂ ସରକାରୀ ଯୋଜନାକୁ ନେଇ ଜିଲ୍ଲାର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରାଯିବ ବୋଲି ସର୍ବ ସମ୍ମତିରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।