Odiapua.com

ସରକାରୀ ଯୋଜନାକୁ ନେଇ ଗଣ୍ଡଗୋଳ, ପୋଲିସ ଉପସ୍ଥିତିରେ ଉତେଜନା, କାମ ବନ୍ଦ ହେବାର ଆଶଙ୍କା

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମ ପଂଚାୟତର ବଡ ମିଶ୍ରପୁର ଗ୍ରାମରେ ସରକାରୀ ଯୋଜନାକୁ କେନ୍ଦ୍ର କରି ତୀବ୍ର ଉତେଜନା ଦେଖାଦେଇଛି। ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଉନ୍ନତିମୂଳକ କାମ ଆରମ୍ଭ ହେବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ତର୍କବିତର୍କ ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ମିଶ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ନବୀକରଣ ଓ ଉନ୍ନତି ପାଇଁ ମାନ୍ୟବର ସାଂସଦଙ୍କ ପାଣ୍ଠି ଅଧୀନରେ “ବିକଶିତ ଓଡ଼ିଶା, ବିକଶିତ ଜିଲ୍ଲା” ଯୋଜନାରୁ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ଅନୁଦାନରେ ସ୍କୁଲ ଘର ନିର୍ମାଣ ଓ କିଛି ଉନ୍ନତିମୂଳକ କାମ କରାଯିବାକୁ ଯୋଜନା ରହିଥିଲା। କିନ୍ତୁ କାମ ଆରମ୍ଭ ହେବା ସହିତ କିଛି ଅସାମାଜିକ ଓ ଖଳ ପ୍ରକୃତିର ବ୍ୟକ୍ତି ଘଟଣାସ୍ଥଳରେ ପହଂଚି ବିରୋଧ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏପରିକି କେତେକ ଲୋକ ବାଢ଼ି ଓ ଖଣ୍ଡା ଧରି ଲୋକମାନଙ୍କୁ ଭୟଭୀତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।ବାଢ଼ି ଓ ଖଣ୍ଡା ଧରି ଲୋକମାନଙ୍କୁ ଭୟଭୀତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ପରିସ୍ଥିତି ଅଧୂକ ଉତେଜନାପୂର୍ଣ୍ଣ ହେବାରୁ କରଞ୍ଜଡିହ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ବର୍ତମାନ ସେଠାରେ ପୋଲିସ ମୁତୟନ ରହିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ସରପଂଚ କହିଛନ୍ତି ଯେ, ସରକାରୀ ଯୋଜନା ମାଧ୍ୟମରେ ଗ୍ରାମର ବିକାଶ କାମ କରାଯାଉଥୂବାବେଳେ କେତେକ ଲୋକ ଅନାବଶ୍ୟକ ଭାବେ ବିରୋଧ କରି ଉନ୍ନତି କାମକୁ ବାଧା ସୃଷ୍ଟି କରୁଛନ୍ତି। ଗ୍ରାମବାସୀମାନେ ମଧ୍ୟ ଶୀଘ୍ର କାମ ସମ୍ପୂର୍ଣ୍ନ କରାଯାଇ ଛାତ୍ରଛାତ୍ରୀମାନେ ଭଲ ପରିବେଶରେ ପାଠ ପଢ଼ିବାର ସୁଯୋଗ ପାଆନ୍ତୁ ବୋଲି ଦାବି କରିଛନ୍ତି। ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରଶାସନ ପକ୍ଷରୁ ଶାନ୍ତି ଓ ସମନ୍ୱୟ ରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଛି।