Odiapua.com

ସରକାରୀ ବିଦ୍ୟାଳୟକୁ ନାହିଁ ସବୁଦିନିଆ ରାସ୍ତା, ବର୍ଷା ହେଲେ ଆସୁନାହାନ୍ତି ପିଲା, ପଡୁଛି ତାଲା

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ବିଦ୍ୟାଳୟକୁ ନାହିଁ ସବୁଦିନିଆ ରାସ୍ତା । ବର୍ଷା ହେଲେ ବିଦ୍ୟାଳୟକୁ ଆସୁନାହାନ୍ତି ପିଲା, ପଡୁଛି ତାଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଚଡ଼ଦିଆ ପଂଚାୟତର ହରିଶପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ୧୩୦ରୁ ଉର୍ଦ୍ଧ୍ୱ ପିଲା ପାଠ ପଢ଼ୁଥିବା ବେଳେ ସବୁଦିନିଆ ରାସ୍ତା ନ ଥିବାରୁ ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ପିଲା । ବିଶେଷ କରି ବର୍ଷା ହେଲେ ମାଟି କାଦୁଅ ରାସ୍ତାରେ ପଡି ଖଣ୍ଡିଆ ଖାବରା ହେଉ ଥିବାରୁ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ଛାଡିବାକୁ ଅମଙ୍ଗ ହେଉଛନ୍ତି । ପକ୍କା ସଡ଼କ ଠାରୁ ବିଦ୍ୟାଳୟଟି ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ । ଏହି ରାସ୍ତା ପ୍ରତି ପ୍ରଶାସନିକ ଆନ୍ତରିକତା ନ ଥିବାରୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇ ପାରୁନି । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀ ସମସ୍ତେ ପ୍ରାୟ ଏକ କିଲୋମିଟର ଦୂରରେ ସାଇକେଲ ଓ ମୋଟର ସାଇକେଲ ରଖି ବିଦ୍ୟାଳୟକୁ ଯାଆନ୍ତି । ଯଦି କେହି ଭୁଲରେ ବିଦ୍ୟାଳୟ ପାଖକୁ ସାଇକେଲ କିମ୍ବା ମୋଟର ସାଇକେଲ ନେଇଯାଇ ଥାନ୍ତି । ତେବେ ବର୍ଷା ଆସିବା ପୂର୍ବରୁ ପକ୍କା ସଡକ ନିକଟରେ ପହଂଚାଇବାକୁ ପଡିବ ନଚେତ ରାସ୍ତା ଶୁଖିବା ପରେ ଆଣିବାକୁ ପଡିବ । ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ।