ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବେ ପାଳନ ହେବ ସରକାରଙ୍କ ନିୟମ, କେବେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ କମିବ ଏନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୦୧୯ ବର୍ଷ ନୂତନ ଶିକ୍ଷାବର୍ଷରୁ ଏହା ପାଳନ ହେବା କଥା କିନ୍ତୁ ସେତେ ବେଳେ ବ୍ୟାଗ କଟକଣା ପାଳିତ ହୋଇପାରିନଥିଲା ଓ ପରବର୍ତ୍ତୀ ସମୟରେ କୋଭିଡ଼-୧୯ ଯୋଗୁ ପୁରା ୨ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଶିକ୍ଷାନୁଷ୍ଠାନ ଖୋଲିଲା ସତ କିନ୍ତୁ ପିଲାଙ୍କ ବ୍ୟାଗ କଟକଣା ଉପରେ ସରକାର କୌଣସି ପଦକ୍ଷେପ ନନେବା ଅଭିଭାବକମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରି ପକାଇଛି। ଏହା ଏକ ପ୍ରହସନ ବୋଲି ବହୁ ଅଭିଭାବକ ଅଭିଯୋଗ କରୁଛନ୍ତି। ସରକାରୀ ନିର୍ଦ୍ଦେଶ ନାମାରେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ ଯେମିତି ପରିବହନ ନକରନ୍ତି ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ ପାଳିତ ହୋଇପାରିନାହିଁ। ଗତ ୨୦୧୯ ମାର୍ଚ୍ଚ ୮ ତାରିଖ ଗାଇଡ଼ଲାଇନ ଅନୁସାରେ ପିଲାଙ୍କ ସ୍କୁଲବ୍ୟାଗ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସଂପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ ମଧ୍ୟ କରିଥିଲେ। ଗତ ୨୦୧୮ ଅକ୍ଟୋବର ୨୦ ତାରିଖରେ ଜାରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧.୫ କେ.ଜି ରଖାଯାଇଥିବା ବେଳେ ତୃତୀୟରୁ ୫ମ ଶ୍ରେଣୀର ପିଲ୍ରାଙ୍କ ପାଇଁ ୨ ରୁ ୩ କେ.ଜି. ୬ଷ୍ଠ ଓ ୭ମ ଶ୍ରେଣୀର ପିଲାଙ୍କ ପାଇଁ ୪ କେ.ଜି, ୮ମ ଓ ୯ମ ଶ୍ରେଣୀର ପିଲାଙ୍କ ପାଇଁ ୪.୫ କେ.ଜି ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ୫ କେ.ଜି ଓଜନର ବ୍ୟାଗ ବ୍ୟବହୃତ କରିପାରିବେ।
ଏହା ଠାରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରି କରାଯାଇଛି। ତତ୍ ସହିତ କୈାଣସି ବି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ୧ମ ଓ ୨ୟ ଶ୍ରେଣୀର ପିଲାଙ୍କୁ ହୋମୱାର୍କ କରିବାକୁ ନଦେବାକୁ ଏହି ଗାଇଡ଼ଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଏନସିଇଆରଟି ନିୟମ ଅନୁଯାୟୀ ୧ମ ଓ ୨ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତିତ ଆଉ କୈାଣସି ବିଷୟରେ ଶିକ୍ଷା ଦେବେ ନାହିଁ। ୩ୟ ରୁ ୫ମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷା, ଇଭିଏସ ଓ ଗଣିତ ଶିକ୍ଷା ଦେବା ସହ ଅତିରିକ୍ତ ବହି ଓ ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ। ଯଦି କୈାଣସି ବିଦ୍ୟାଳୟ ଉପରୋକ୍ତ ନିୟମ ଉଲଂଘନ କରୁଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦିଆଯାଇଛି କିନ୍ତୁ ଏହାକୁ କେହିପାଳନ କରିନାହାନ୍ତି। ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ପକ୍ଷରୁ ଜଣେ ପିଲା ର ଓଜନ ଠାରୁ ସ୍କୁଲ ବ୍ୟାଗ ଓଜନ ୧୦ ପ୍ରତିଶତ ଅଧିକ ହେବ ନାହିଁ ବୋଲି ଗାଇଡ଼ଲାଇନ୍ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ଗାଇଡ଼ଲାଇନ ଆଜି ପର୍ଯ୍ୟନ୍ତ ବନ୍ତ ବ୍ଲକ ଓ ତା ଆଖପାଖ ଅଂଚଳରେ ଥିବା ସ୍କୁଲ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଛୋଟଛୋଟ ପିଲାମାନେ ପାଠ୍ୟପୁସ୍ତକ ଭର୍ତ୍ତି ଓଜନଦାର ବ୍ୟାଗ୍ ଧରି ସ୍କୁଲକୁ ନିୟମିତ ଯାଉଥିବାର ଦେଖିବାକୁ ମିଳୁଛି। ଏଠାରେ ବେସରକାରୀ ତଥା ସରକାରୀ ସ୍କୁଲ ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ବହୁ ପିଲା ବରପଦା, ଭଦ୍ରକ ଆଦି ସ୍ଥାନରେ ଥିବା ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି। ଏଥିରେ ପଢାଖର୍ଚ୍ଚ ଅଧିକ ହେବା ଅଭିଭାବକ ମାନଙ୍କୁ ଯେତିକି ବାଧୁ ନାହିଁ, ପିଲାଙ୍କ ଓଜନଦାର ବହି ଭର୍ତ୍ତି ବ୍ୟାଗ ନେଇଯିବା ଅଧିକ କଷ୍ଟ ଦେଉଛି ବୋଲି ବହୁ ଅଭିଭାବକ ମତବ୍ୟକ୍ତ କରୁଛନ୍ତି। ସେତେବେଳେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ପକ୍ଷର ୁ ଜାରି ହୋଇଥିବା ଗାଇଡ଼ଲାଇନ ହସ୍ତଗତ ହୋଇନଥିବା ଆଳରେ ବହୁ ସ୍କୁଲ ଏହାକୁ ଏଡ଼ାଇ ଚାଲିଥିଲେ ଓ ଆଜି ପର୍ଯ୍ୟନ୍ତ ଚାଲି ଆସୁଛନ୍ତି ମଧ୍ୟ। ତତ୍ ସହିତ ସରକାରଙ୍କ ଦ୍ୱାରା ପ୍ରକାଶ ଗାଇଡ଼ଲାଇନ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏଥି ପାଇଁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି।