Odiapua.com

ସରକାରୀ ଡାକ୍ତରଖାନା ଭାଇରସର ସୁପର ସ୍ପ୍ରେଡର

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ସରକାରୀ ଡାକ୍ତରଖାନା କରୋନା ଭାଇରସର ସୁପରଷ୍ଟ୍ରେଡର ପାଲଟିଛି । କୋଭିଡ୍ ସଂକ୍ରମଣ ରୋକିବା ସକାଶେ ସରକାର ଯାବତୀୟ କଟକଣା ଜାରି କରୁଛନ୍ତି । ଲକଡାଉନ୍ ଏବଂ ସଟଡାଉନ୍ ଉଠିଯବା ପରେ ସରକାର ଏବେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରକୁ ପ୍ରାଥମିକତା ଦେଇଛନ୍ତି । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଆର୍ଥିକ ଜରିମାନା କରୁଛନ୍ତି । ଏଥିସକାଶେ ସହର ବଜାରରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଚେକିଂ ଏବଂ ବୁକିଂ କୁ ଜୋରଦାର କରାଯାଉଛି । ହେଲେ ସରକାରୀ ଡାକ୍ତରଖାନାରେ ଏହାର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ନା ସାନିଟାଇଜ୍ କରାଯାଉଛି ନା ଅନ୍ତେବାସୀ ରୋଗୀଙ୍କୁ ଅନୁରୂପ କଟକଣାରେ ରଖାଯାଉଛି । ଫଳରେ ସରକାରୀ ଡାକ୍ତରଖାନା ଏବେ କରୋନା ଭାଇରସର ସୁପର ସ୍ପେଡର ପାଳଟିଛି । ସରକାରୀ ଡାକ୍ତରଖାନା ଆସୁଥିବା ଆଉଟ୍‌ଡୋର ରୋଗୀଙ୍କ କଥା ପଛକୁ ଥାଉ ଉନ୍‌ଡୋରରେ ରହୁଥିବା ରୋଗୀଙ୍କ ଅବସ୍ଥା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ୱାର୍ଡ ଭିତରେ ରୋଗୀଙ୍କୁ ବଳି ପଡୁଛନ୍ତି ସେମାନଙ୍କ ଆଟେଣ୍ଡାଣ୍ଟ । ରୋଗୀଙ୍କ ବିଛଣାରେ ରୋଗୀଙ୍କ ସହ ସାଙ୍ଗ ହୋଇ ଶୋଉଛନ୍ତି ସେମାନଙ୍କ ଅଟେଣ୍ଡାଣ୍ଟ । କେବଳ ଶୋଉନାହାଁନ୍ତି ରୋଗୀଙ୍କୁ ଭେଟିବାକୁ ଆସୁଥିବା ଲୋକେ ପରିବାର ଏବଂ ଆତ୍ମୀୟ ସ୍ୱଜନ ଏକାଠି ବସି ଗପସପ କରୁଛନ୍ତି । ତେଣେ କୋଭିଡ୍ ସତର୍କତା ସକାଶେ ମାସ୍କ ବାନ୍ଧିବା ସାମାଜିକ ଦୂରତ୍ୱା ରକ୍ଷା କରିବା ଏବଂ ନିଜକୁ ସାନିଟାଇଜ୍ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଉଥିବା ବେଳେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ସକାଶେ ଏହି ଧରଣର କୌଣସି ବ୍ୟବସ୍ଥା କରାଯିବା ଦୂରକୁ ଥାଉ ସର୍ବନିମ୍ନ ଆବଶ୍ୟକତା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ନେଇ କଟକଣା ଜାରି କରାଯାଉନାହିଁ । ସେହିଭଳି ଆଉଟ୍‌ଡୋର ଆସୁଥିବା ରୋଗୀଙ୍କୁ ଦେଖିବାକୁ ଡାକ୍ତରମାନେ ୪ ହାତ ଦୂରରେ ଥାଇ ରୋଗୀ ଦେଖୁଥିବାବେଳେ ଆଉଟ୍‌ଡୋର ଆଗରେ ରୋଗୀଙ୍କ ମେଳା ଲାଗୁଛି । ଟିକେଟ କରିବାକୁ ଟିକେଟ୍ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଧାଡି ଲାଗୁଥିବାବେଳେ ଲୋକେ ସାମାଜିକ ଦୂରତାକୁ ଫୁ କରିଦେଇ ଟିକେଟ୍ କାଟିବାକୁ ଠେଲାପେଲା ହେଉଛନ୍ତି । ଡାକ୍ତରଖାନାରେ ପୁଲିସ୍ ୨୪ ଘଣ୍ଟିଆ ମୁତୟନ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ କୋଭିଡ୍ ସଚେତନ କରାଇବାକୁ ପୁଲିସ୍ ଅଥବା ସ୍ୱାସ୍ଥ୍ୟ ବିଭାଗର କୌଣସି ଆନ୍ତରିକତା ଥିବା ଭଳି ମନେ ହେଉନାହିଁ । ଯାହାକୁ ନେଇ ଏବେ ସଚେତନଶୀଳ ଲୋକେ ଡାକ୍ତରଖାନା ଆସିବାକୁ ଭୟଭୀତ ହେଉଛନ୍ତି ।