Odiapua.com

ସରକାରୀ ଟଙ୍କା ଆତ୍ମସାଦ୍ ଅଭିଯୋଗରେ ମଙ୍ଗଳପୁର ସରପଞ୍ଚ ନିଲମ୍ବିତ

୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଟଙ୍କା ଆତ୍ମସାତ୍ ଓ ନିଜ କ୍ଷମତାର ଅପବ୍ୟବହାର କରି ତିହିଡି ବ୍ଲକ୍ ମଙ୍ଗଳପୁର ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ସରକାରଙ୍କ ପଂଚାୟତିରାଜ ପାନୀୟ ଜଳ ବିଭାଗ ପତ୍ର ସଂଖ୍ୟା ୮୧୨୫, ତା ୦୭.୦୫.୨୦୨୦ ରିଖ ଅନୁଯାୟୀ ମଙ୍ଗଳପୁର ପଂଚାୟତର ସରପଞ୍ଚ ସାବିତ୍ରୀ ମଳିକଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ସେ ଗ୍ରାମପଞ୍ଚାୟତ ଆକ୍ଟ ୧୯୬୪ କୁ ଅବମାନନା କରିଥିବା ଅଭିଯୋଗ ହୋଇଥିଲା । ସରପଞ୍ଚଙ୍କୁ ଏହି ଆଦେଶ ପ୍ରଦାନ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗଳପୁର ପଂଚାୟତର ୨୦୧୭-୧୮ ଆର୍ଥିକ ବର୍ଷରେ ବିଭିନ୍ନ ଗାଁରେ ୪ ଲକ୍ଷ ୩୦ ହଜାର ଟଙ୍କାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିଛନ୍ତି । ଯାହା ଆନୁଆଲ ଆକ୍ସନ ପ୍ଲାନରେ ଉଲ୍ଲେଖ କରାଯାଇନାହିଁ । ଏତଦ୍‌ବ୍ୟତୀତ କୌଣସି ପଲ୍ଲୀସଭା କିମ୍ବା ଗ୍ରାମସଭା ଆହୂତ କରାଯାଇନଥିବା ଜଣାଯାଇଛି । ବ୍ୟୟବରାଦ ପୂର୍ବରୁ ବ୍ଲକ୍ ପ୍ରଶାସନର କୌଣସି ସୁପାରିଶ ମଧ୍ୟ କରାଯାଇନାହିଁ । ଷ୍ଟ୍ରିଲ୍ ଲାଇଟ୍ ପାଇଁ କୌଣସି ଟେଣ୍ଡର କୋଟେସନ ହୋଇନଥିବାବେଳେ ଏଥିରେ ସରପଞ୍ଚ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ନଥିବା ମଧ୍ୟ ଜଣାଯାଇଛି । ଠିକାଦାରଙ୍କୁ ଉକ୍ତ ଟଙ୍କା ପ୍ରଦାନରେ ପଂଚାୟତ ପକ୍ଷରୁ କୌଣସି ଚେକ୍ ବା ଆକାଉଣ୍ଟ ଟ୍ରାନ୍ସଫର କରାନଯାଇ ଉଭୟଙ୍କ ଦସ୍ତଖତରେ ଟଙ୍କା ଉଠାଣ ହୋଇଥିବା ଜଣାଯାଇଛି । ଏଥିସହିତ ଅଗଷ୍ଟ ୨୦୧୮ ଠାରୁ ସରପଞ୍ଚ ପଂଚାୟତରେ କୌଣସି ବୈଠକ କରିନଥିବା ରିପୋର୍ଟ ହସ୍ତଗତ ହୋଇଛି । ପଂଚାୟତିରାଜ ଆଇନ୍‌କୁ ଅବମାନନା କରି ପୋଖରୀ ନିଲାମ କରାଯିବା ଅଭିଯୋଗ ମଧ୍ୟ ହୋଇଥିଲା । ମୋଟ ୪ ଲକ୍ଷ ୧୮ ହଜାର ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ଉପରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି । ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ ମୂଳେ ପୂର୍ବରୁ ଏକ ତଦନ୍ତକାରୀ ଟିମ୍ ଦ୍ୱାରା ରିପୋର୍ଟ ଦାଖଲ କରାଯାଇଥିଲା । ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍‌କାଳୀନ ପଂଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ପାଢୀଙ୍କୁ ନିଲମ୍ବନ କରାଯିବା ସହ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମିଶି ସରପଞ୍ଚ ଏହି ଟଙ୍କା ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡିବା ପରେ ନିଲମ୍ବନ ଆଦେଶ ଦିଆଯାଇଛି । ଏଥିସହିତ ଆଗତ ହୋଇଥିବା ଅଭିଯୋଗ ସଂପର୍କରେ ତାଙ୍କର କୌଣସି ମତାମତ ରଖିବାର ଥାଏ ୩୦ ଦିନ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଥିବା ଜଣାଯାଇଛି ।