Odiapua.com

ସରକାରୀ ଜାଗା, ନାଳ ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ପାଣି ରାସ୍ତା ନଷ୍ଟ ହେବା ଆଶଙ୍କା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାରୀ ଜାଗା ଓ ନାଳ ଅବରୋଧ ଯୋଗୁ ବନ୍ତ ବ୍ଳକ ଟିଲୋ ପଞ୍ଚାୟତ ଶାଳକଣିଆ ଛକ ଠାରେ ରାସ୍ତା ବୁଡି ପାଣି ଚାଲିବା ସହ ରାସ୍ତା ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଯେ, ବନ୍ତ ତହସିଲ ଅଧିନ ଶାଳକଣିଆ, ବାଙ୍ଗୋରପଦୀ, ସଖିପାଟଣା ମୌଜାର ଚକ ରାସ୍ତା ଓ ନାଳକୁ କେତେକ ଚାଷୀ ଅବରୋଧ କରିଥିବାରୁ ପାଣି ନିଷ୍କାସନ ହୋଇନପାରି ପ୍ରାୟ ଶହେ ଏକର ଚାଷ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଥିଲା। ଚାଷୀ ମାନଙ୍କ ଅଭିଯୋଗ କ୍ରମେ ବନ୍ତ ଆଇଆଇସି ମିନା ବିନ୍ଧାଣୀ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଡକାଇ ନିଷ୍କାସନ ନାଳ ତିଆରି କରାଇଥିଲେ। ଶାଳକଣିଆ ମୌଜା ଅଧିନରେ ଥିବା ଚାଷ ଜମିର ପାଣି ନିଷ୍କାସିତ ହୋଇ ଶାଳକଣିଆ ଠାରେ ପହଞ୍ôଚ ଥିଲା। ମାତ୍ର ସେହି ସ୍ଥାନରେ ଜନୈକ ବ୍ୟକ୍ତି ମହିଳା ସମିତି ଜାଗା ଉପରେ କଂକ୍ରିଟ୍ ଗେଟ୍ କରି ପାଣିକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତା ବୁଡି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ପୋଲିସ ଉପସ୍ଥିତିରେ ପାଣିକୁ ନିଷ୍କାସିତ କରାଯାଇଥିବା ବେଳେ ବର୍ତ୍ତମାନ ନାଳକୁ ଅବରୋଧ କରାଯାଇଥିବାରୁ ପାଣି ନିଷ୍କାସିତ ନହୋଇ ଭୁବନେଶ୍ୱରପୁର ଶାସନ ଆର୍‌-ଡି-ରାସ୍ତା ବୁଡିଯାଇଛି। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତା ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି