Odiapua.com

ସରକାରୀ ଛୁଟି ଦିନରେ କାର୍ଯ୍ୟ କରିବାକୁ ପିିଇଓ ଓ ଜିଆର୍‌ଏସ୍‌ଙ୍କ ବିରୋଧ, ଦାବୀର ପୁନର୍ବିଚାର ନହେଲେ ଆନ୍ଦୋଳନ ହେବ

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକମାନେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମସ୍ତ ସରକାରୀ ଛୁଟି ଦିନ ମାନଙ୍କରେ କାର୍ଯ୍ୟ କରିଆସୁଛନ୍ତି । ଯାହାକୁ ନେଇ ଉଭୟ ଗୋଷ୍ଠୀର କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବା ସହିତ ପିଇଓ ଓ ଜିଆର୍‌ଏସ୍‌ଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଜରୁରୀ କାଳୀନ ସମୟରେ ସରକାରୀ ଛୁଟି ଦିନରେ ଏମାନେ କାମ କରିବାକୁ ପ୍ରସ୍ତୁତ ଥିବା ବେଳେ ସବୁଦିନିଆ ସରକାରୀ ଛୁଟି ଦିନରେ କାର୍ଯ୍ୟ ନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସରକାରୀ ଛୁଟି ଦିନରେ ଲଗାତର ଭାବେ କାର୍ଯ୍ୟ କରୁଥିବାରୁ ପିଇଓ ଏବଂ ଜିଆର୍‌ଏସ୍‌ମାନଙ୍କ ପାରିବାରିକ ଅଶାନ୍ତି ଦେଖା ଦେଉଛି । ସରକାରୀ ଛୁଟି ଦିନରେ ଏହି କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ବାଧ୍ୟ କରୁଛି । ଯାହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ । ଏଥିରେ କର୍ମଚାରୀମାନେ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି । କରୋନା ମହାମାରୀ ସମୟରେ ପିଇଓ ଏବଂ ଜିଆର୍‌ଏସ୍‌ମାନେ ଜୀବନକୁ ପାଣି ଛଡେଇ କାର୍ଯ୍ୟ କରୁଛନ୍ତି । ଏପରି ସ୍ଥଳେ ବ୍ୟକ୍ତିିିଗତ ସ୍ୱାଧୀନତାରେ ହସ୍ତକ୍ଷେପ କରି ସରକାରୀ ଛୁଟି ଦିନରେ କାମ କରିବାକୁ ବାଧ୍ୟ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଗ୍ରାମୀଣ ଆବାସ ପ୍ରଗତି ଆଳରେ ପିଇଓ ଓ ଜିଆର୍‌ଏସ୍‌ମାନଙ୍କୁ ଜିଲ୍ଲା ପ୍ରଶାସନ ବାରମ୍ବାର ମାନସିକ ନିର୍ଯାତନା ଦେବା ଘଟଣାକୁ ବୈଠକରେ ନିନ୍ଦା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟର ଜରୁରୀ କାଳୀନ ସ୍ଥିତିକୁ ବାଦ ଦେଲେ ଅନ୍ୟ ସରାକରୀ ଛୁଟି ଦିନରେ ପିଇଓ ଓ ଜିଆର୍‌ଏସ୍ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଜିଲ୍ଲାର ସମସ୍ତ ବ୍ଲକର ବିଡିଓମାନଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ପ୍ରଶାସନ ଦାବୀକୁ ଅଣଦେଖା କଲେ ଆନ୍ଦୋଳନ ହେବ ବୋଲି ଉଭୟ କର୍ମଚାରୀ ଗୋଷ୍ଠୀଙ୍କ ପକ୍ଷରୁ ଚେତାବନୀ ଦିଆ ଯାଇଛି । ଏହି ଦାବୀକୁ ହାସଲ ପାଇଁ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି । ଏଥିରେ ସବୁ ବ୍ଲକର ପିଇଓ ସଂଘର ସଭାପତି ଓ ସମ୍ପାଦକ ଏବଂ ଜିଆର୍‌ଏସ୍ ସଂଘର ସଭାପତି ସମ୍ପାଦକ ସଦସ୍ୟ ରହିଥିବା ବେଳେ ପିଇଓ ଜିଲ୍ଲା ସଭାପତି ଆବାହକ ଏବଂ ଜିଏଆର୍‌ଏସ୍ ଜିଲ୍ଲା ସଭାପତି ସହଆବାହକ ରହିଛନ୍ତି । ଗଠିତ କ୍ରିୟାନୁଷ୍ଠାନ କମିଟିରେ ଭଦ୍ରକ ବ୍ଳକରୁ ଦୀପକ ମହାନ୍ତି ଓ ସୁଶାନ୍ତ ତ୍ରିପାଠୀ, ଚାନ୍ଦବାଲି ବ୍ଳକରୁ ରାଜେନ୍ଦ୍ର ପ୍ରସାଦ ଦାସ ଓ ବିନୟ ଭୂଷଣ ବେହେରା, ବନ୍ତ ବ୍ଲକରୁ ନିଶାକର ଖୁଣ୍ଟିଆ ଓ ସୁବ୍ରତ କୁମାର ରାଉତ, ଧାମନଗର ବ୍ଲକରୁ ଚିତ୍ତ ରଂଜନ ନାୟକ ଓ ନିହାର ରଂଜନ ନାୟକ, ବାସୁଦେବପୁର ବ୍ଳକରୁ ଦିଗମ୍ବର ଦାସ ଓ ସମର ମାହୁନ୍ତ, ତିହିଡି ବ୍ଲକରୁ ଦୀନବନ୍ଧୁ ମହାନ୍ତି ଓ ମନୋରଂଜନ ଭୋଇ, ଭଣ୍ଡାରିପୋଖରୀ ବ୍ଳକରୁ ବିକ୍ରମ ସାହୁ ଓ ନିଶିକାନ୍ତ ଯେନା ଯଥାକ୍ରମେ ପିଇଡ଼ ଏବଂ ଜିଆର୍‌ଏସ୍ ସଂଘରୁ ସଦସ୍ୟ ରହିଛନ୍ତି । ପିଇଓ ସଂଘର ଜିଲ୍ଲା ସଭାପତି ଗୟାଧର ସାହୁଙ୍କ ପୌରୋହିତ୍ୟ ଅନୁଷ୍ଠିତ ଏହି ବୈଠକରେ ପିଇଓ ସଂଘର ଜିଲ୍ଲା କମିଟି ମଧ୍ୟ ଗଠନ କରାଯାଇଛି । ଏଥିରେ ସଭାପତି ଗୋପାଳ କିଶୋର ପଣ୍ଡା, ଉପସଭାପତି କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସହସମ୍ପାଦକ ଦୀପକ କୁମାର ମହାନ୍ତି, ଚନ୍ଦ୍ରକାନ୍ତ ବେହେରା, କୋଷାଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଉପଦେଷ୍ଟା ଭାବେ ସନ୍ୟାସୀ ଦାସ. ଅଜୟ ଦାଶ, ରାଜେନ୍ଦ୍ର ପ୍ରସାଦ ଦାସ, ଭୀମସେନ ନାୟକ, ବିଭୁଦତ୍ତ ପାତ୍ର, ନିରଂଜନ ନାୟକ ଏବଂ ଈଶ୍ୱର ବାରିକ ମନୋନୀତ ହୋଇଛନ୍ତି ।