Odiapua.com

ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ୍ ଆନ୍ଦୋଳନ ୬ଷ୍ଠ ଦିନରେ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପ୍ରମୋସନ, ଇନ୍‌କ୍ରିମେଣ୍ଟ, ସିନିୟୋରିଟି ରେ ଗଣନା କରିବା ଦାବିରେ ଦୀର୍ଘ ୬ ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ୍ ପିନ୍ଧି ସରକାରୀ ଚୁକ୍ତିଭୂତ୍ତିକ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହବ୍ୟାପୀ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭୂତ୍ତିକ ଗ୍ରୁପ୍ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟା, ବାଣିଜ୍ୟ, ପରିବହନ, ସାମାଜିକ ସୁରକ୍ଷା, କୃଷି ଏବଂ ପଶୁସଂପଦ, ଜଂଗଲ ଏବଂ ପରିବେଶ, ଶ୍ରମ ଓ ପୁଲିସ୍ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀମାନେ ପ୍ରତ୍ୟେକ ଜିଲାର ବ୍ଲକ୍ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାହ୍ନ ବିରତି ସମୟରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ମୂଳ ଚାକିରୀରେ ଯୋଗ ଦୁଇଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ କଳା ବ୍ୟାଚ୍ ପରିଧାନ ଏବଂ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେମାନଙ୍କ ଦାବିଗୁଡିକ ପୂରଣ ନକରନ୍ତି, ତେବେ ମହାସଂଘର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ୧୧ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ୍ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ଜିଲା ସଭାପତି ଶ୍ୟାମସୁନ୍ଦର ଜେନା, ସଂପାଦକ ପଙ୍କଜ କୁମାର ବାଇ, ଉପସଭାପତି ବିଶ୍ୱଜିତ୍ ଲେଙ୍କା, ଗଣମାଧ୍ୟମ ସଂପାଦକ ସୁଧାଂଶୁ ଶେଖର ନାୟକ, କୋଷାଧ୍ୟକ୍ଷ ବର୍ଷା ଦାସ ପ୍ରମୁଖ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।