Odiapua.com

ସରକାରଙ୍କ ଲକ୍ଷାଧିକ ଟଙ୍କାର ସୋୖର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ, ନାହିଁ ନଥିବା ଅସୁବିଧାରେ ଜନସାଧାରଣ

ବଡ଼ବିଲ, ତା ୧୮ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)ଅଚଳ ହୋଇ ପଡ଼ିରହିଛି ସୋୖର ଚାଳିତ ଜଳ ପ୍ରକଳ୍ପ, ପାନୀୟ ଜଳ ପାଇଁ ଡହଳବିକଳ ଗ୍ରାମବାସୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇ ନିର୍ମିତ ହୋଇଥିବା ଏହି ସୋୖର ଚାଳିତ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଲାଗୁନାହିଁ । ଖବର ଅନୁଯାୟୀ ଆଜକୁ ୫ ମାସରୁ ଉର୍ଦ୍ଧ୍ବ ହେବ ଏହି ସୋୖର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି । ଯାହା ଫଳରେ ଏଠାକାର ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମୁର୍ତ୍ତା ତଳସାହିରେ ଦେଖିବାକୁ ମିଳିଛି । ଏଠାରେ ପ୍ରାୟତଃ ୩୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ସେମାନଙ୍କୁ ପାଇପ୍ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସୋୖର ଚାଳିତ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଗତ ଫେବୃୟାରୀ ମାସରୁ ଏହି ସୋୖର ଚାଳିତ ପାନୀୟ ଜଳ ଯୋଗାଣ ଅଚଳ ହୋଇପଡିଛି । ହେଲେ ଦୁଃଖର ବିଷୟ ଆଜକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ମରାମତି କରାଯାଇନାହିଁ । କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଜଳ ଓ ପରିମଳ ମିଶନ ପକ୍ଷରୁ ଲୋକଙ୍କ ଉଦ୍ଦିଷ୍ଟ ପାଇଁ ଏହି ପ୍ରକଳ୍ପ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ କରାଯାଇଛି । ଏହାଦ୍ବାରା ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ କେତେ କାଂଶରେ ଦୂର ହୋଇଥିଲା । ହେଲେ ଏହା ଅଚଳ ହେବା ଫଳରେ ପାନୀୟ ଜଳ ସମସ୍ୟାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଏହାକୁ ଛଡା ସେଠାରେ ଥିବା ନଳକୂପଗୁଡିକରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନଥିବାରୁ ଲୋକମାନେ ନିକଟସ୍ଥ ଉପରସାହି ନଳକୂପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି ।ଜଳଭଣ୍ଡାରର ଦୂଷିତ ପାଣି ପିଇ ଲୋକେ ନାନା ରୋଗବ୍ୟାଧିରେ ପଡୁଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଥିବା ଏହି ସୋୖର ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ମରାମତି ଓ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ପ୍ରକଳ୍ପର ମରାମତି କରାଇବା ପାଇଁ ଏଠାକାର ଲୋକମାନେ ଦାବି କରିଛନ୍ତି ।