Odiapua.com

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ପୂର୍ବ ପ୍ରସ୍ତୁତି ସୂଚନା

ଭୁବନେଶ୍ୱର, ୦୮/୦୫ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଙ୍ଗ, କେନ୍ଦ୍ରାପଡ଼ା। ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟିଘର ଓ କୁଡ଼ିଆଘରେ ବାସକରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରିହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ। ସେହିପରି ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ।

ଆସନ୍ତା ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯିବ।

୧୮ ଟି ଜିଲ୍ଲାର ଜିଲ୍ଲାପାଳ, ଭୁବେନେଶ୍ବର, କଟକ ଓ ବ୍ରହ୍ମପୁର ମୁନିସିପାଲ କମିଶନରମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ବାରା ତଳିଆ ଅଳ ଜଳମଗ୍ନ ହେବାର ସମ୍ଭାବନା ଥିବାବେଳେ ଯଦି ଏଭଳି ପରିସ୍ଥିତି ଉପୁଯେ, ତେବେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ। ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ସେମାନଙ୍କର ସମସ୍ତ ମାନବସମ୍ବଳ ଓ ମେସିନ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଏଆରସିଙ୍କ ନିର୍ଦ୍ଦେଶମତେ ସେମାନଙ୍କୁ ନିୟୋଜନ କରାଯିବ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ସମସ୍ତ ଜିଲ୍ଲା ଓ ତତସଲଗ୍ନ ଅଫିସଗୁଡିକୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ବିଷୟରେ ଅବଗତ କରିବା ସହ ବାତ୍ୟାଜନିତ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ମୁକାବିଲା ପାଇଁ ସଜାଗ ରହିବେ। ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଫିସର ଏଆରସିଙ୍କ ଅଫିସ ସହ ନିରନ୍ତର ସଂଯୋଗରେ ରହିବେ। ବିଭାଗ ପକ୍ଷରୁ ଆବଶ୍ୟକୀୟ ପଶୁ ଔଷଧ ବିଭିନ୍ନ ପଶୁ ଚିକିତ୍ସାଳୟରେ ମହଜୁଦ ରଖିବେ। ବିଭାଗ ପକ୍ଷରୁ ପଶୁ ଆହାର ଯୋଗାଇ ଦେଉଥିବା ଯୋଗାଣକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ, ଯାହାକି ଆବଶ୍ୟକ ସମୟରେ କାର୍ଯ୍ୟରେ ଆସିବ।

ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ପୂର୍ବରୁ ସମୁଦ୍ରକୁ ଯାଇଥିବା ସମସ୍ତ ଡଙ୍ଗା ସୁରକ୍ଷିତ ଭାବେ ଫେରିଆସିଛି।