Odiapua.com

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀକୁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି

ପୁରୀ, ୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀକୁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଜିଲ୍ଲାର ଅସ୍ତରଙ୍ଗଠାରୁ ଆରମ୍ଭ କରି କୃଷ୍ଣପ୍ରସାଦ ଉପକୂଳରେ ଥିବା ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦ୍ରକୂଳରେ ଥିବା ଉଠାଦୋକାନଗୁଡିକୁ ଲୋକମାନେ ସ୍ୱତଃପ୍ରୋତଭାବେ ଓ ମତ୍ସ୍ୟଜୀବିମାନେ ମଧ୍ୟ ଡଙ୍ଗାକୁ ସମୁଦ୍ରକୂଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବା ବେଳେ ମତ୍ସ୍ୟଜୀବିମାନେ ସମୁଦ୍ରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଅମ୍ଫାନ ଦୁଇଦିନ ଭିତରେ ଓଡିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା ଥିବାବେଳେ ପ୍ରବଳ ବର୍ଷା ସହ ପବନର ବେଗ ପ୍ରାୟ ୧୦୦କିଲୋମିଟର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ୬ଟି ଅତି ସମବେଦନଶୀଳବ୍ଳକରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରର୍ଯ୍ୟାପ୍ତ ମାତ୍ରାରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ସହ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।