ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମ୍ବେଦନଶୀଳ ଶିଶୁ ପ୍ରସଙ୍ଗରେ ଗୋପନୀୟତା ଶୀର୍ଷକ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଜିଲ୍ଲାପାଳ, ଭଦ୍ରକ ଦୀଲିପ ରାଉତରାଏ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଗୁଇନ୍ଦା) ଅଂଶୁମାନ ଦ୍ୱିବେଦୀ, ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀ, କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଜେନା ପ୍ରମୂଖ ଯୋଗଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜ ଅଭିଭାଷଣରେ ବିପନ୍ନରେ ଥିବା ଶିଶୁ କିଭଳି ପରିବର୍ତନ ହୋଇପାରିବ ଏବଂ ତାର ପରିଚୟ ଗୋପନରଖି ମର୍ଯ୍ୟାଦା ରକ୍ଷା କଲେ ସେ ପୁନଃଶ୍ଚ ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବ, ସେଥିପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ସେହିପରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଭିନ୍ନ ଆଇନ ଶିଶୁମାନଙ୍କ ନିମନ୍ତେ ଥିବା ସତ୍ୱେ ବହୁ ସମୟରେ ଆମେ ଶିଶୁଙ୍କୁ ଅଣ ଦେଖାକରୁ ଏବଂ ବୟସ ନିର୍ଦ୍ଧାରଣରେ ପୋଲିସ ଓ ଗଣମାଧ୍ୟମର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍ ବୋଲି ମତ ପୋଷଣ କରିଥିଲେ । ସେହିପରି ଆଇନଜୀବୀ ବନମାଳୀ ଜେନା ଶିଶୁମାନଙ୍କ ପାଇଁ ମିଶନ ବାତ୍ସଲ୍ୟର ନୀତି ନିୟମ ଉପରେ ଅଭିମତ ରଖିଥିଲେ । ଅଧ୍ୟକ୍ଷ ଶିଶୁ ମଂଗଳ କମିଟି ଶିଶୁମାନଙ୍କ ପାଇଁ ସମସ୍ତେ ସମ୍ବେଦନଶୀଳ ହେବା ଜରୁରୀ ବୋଲି ମତପୋଷଣ କରିଥିଲେ । କର୍ମଶାଳାରେ ବିଷୟ ବିଷାରଦ ରୂପେ ପୂର୍ବତନ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ ପୁଙ୍ଖାନୁପୁଙ୍ଖ ଭାବେ ଶିଶୁ ଅଧିକାର, ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ସଂପର୍କରେ ଅବଗତ କରାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରମୋଦ ରାୟ, ନରେନ୍ଦ୍ର ସାମଲ, ପ୍ରଭାତ ଦାସ, ଜ୍ଞାନ ପ୍ରକାଶ ପାଣି ପ୍ରମୁଖ ଶିଶୁର ଗୋପନୀୟତା ବଜାୟ ରଖିବା ଏବଂ ଗଣମାଧ୍ୟମର ଭୂମିକା ସଂବନ୍ଧରେ କର୍ମଶାଳାରେ ଉଲ୍ଲେଖ କରିଥିଲେ । ଶିଶୁ ସୁରକ୍ଷା ଶାଖାର ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ସୁଦର୍ଶନ ବାନ୍ଦ୍ରା, ବିଶ୍ୱ ନାରାୟଣ ପଣ୍ଡା, ଧୀରଜ ବାରିକ ସମେତ ଚାଇଲ୍ଡ ଲାଇନର ଦିଗ୍ ବିଜୟ ମହାନ୍ତି, ଲକ୍ଷ୍ମଣ ଜେନା, କାହ୍ନୁ ଚରଣ ମଲ୍ଲିକ, ନରେନ୍ଦ୍ର ନବୀନ ଚନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ଗୋଚ୍ଛାୟତ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ । ଶିଶୁ ଅନୁଷ୍ଠାନର ରିୟାଜ ଅହମ୍ମଦ, ଆକାଶ ପୃଷ୍ଟି, ଚନ୍ଦନ ବିଶ୍ୱାଳ, ଲୁନା ଦାସ, ଭଗବାନ ବେହେରା ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଆଇନ ପ୍ରୋବେସନ୍ ଅଧିକାରୀ ସୁବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।