Odiapua.com

‘ସମ୍ବିଧାନ ବଞ୍ଚାଅ – ଗଣତନ୍ତ୍ର ବଞ୍ଚାଅ’ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ବିଧାନ ହେଉଛି ଗଣତନ୍ତ୍ରର ଆତ୍ମା ଏବଂ ଦେଶର ୧୪୦ କୋଟି ଜନତାଙ୍କର ଜୀବନ ହେଉଛି ଗଣତନ୍ତ୍ର । ମାତ୍ର ବର୍ତ୍ତମାନ କେନ୍ଦ୍ରରେ ଅଧିଷ୍ଠିତ ଥିବା ସରକାର ସମ୍ବିଧାନକୁ ହେୟ ମନେ କରି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରି ସମାଜବାଦ୍ ଏବଂ ଧର୍ମନିରପେକ୍ଷ ଶବ୍ଦମାନଙ୍କୁ ଉଚ୍ଛେଦ କରିବା ନାରା ଦେଶ ପାଇଁ ବିପଦକୁ ଡାକି ଆଣିଛି । ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟପାଳିକା, ସି.ବି.ଆଇ, ନିର୍ବାଚନ କମିଶନ ଆଦି ସଂସ୍ଥାର କାର୍ଯ୍ୟାବଳୀ ଉପରେ ହସ୍ତକ୍ଷେପ କରି ଜନଗଣଙ୍କର ଜୀବନ ପ୍ରତି କେନ୍ଦ୍ର ସରକାର ବିପଦ ସୃଷ୍ଟି କରିବା ସଂଗେସଂଗେ ସମ୍ବିଧାନର ମୌଳିକତା ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଅଲ ଇଣ୍ଡିଆ ଲୟର୍ସ ୟୁନିୟନର ଜାତୀୟ ଉପସଭାପତି ଲକ୍ଷ୍ମୀଧର ପଙ୍ଗାରୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ କହିଛନ୍ତି ।

ଆଜି ଭଦ୍ରକଠାରେ ଜିଲ୍ଳା ସଂସ୍କୃତି ଭବନରେ ‘ସମ୍ବିଧାନ ସୁରକ୍ଷା ଅଭିଯାନ’ ପକ୍ଷରୁ ଆୟୋଜିତ ଜିଲ୍ଳାସ୍ତରୀୟ ‘ସମ୍ବିଧାନ ବଞ୍ଚାଅ – ଗଣତନ୍ତ୍ର ବଞ୍ଚାଅ’ ଆଲୋଚନା ଚକ୍ରରେ ଆଇନଜୀବୀ ଅଗଣି ଚରଣ ଜେନା ପୌରୋହିତ୍ୟ କରିଥିଲେ । ଅନ୍ୟତମ ଆଲୋଚକ ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ଗୋପବନ୍ଧୁ, ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଯୋଗ ଦେଇ ସମ୍ବିଧାନର ବୈଶିଷ୍ଟ୍ୟ, ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଗଣତାନ୍ତ୍ରିକ ବିଚାରଧାରା ଏବଂ ସେ ଅଧିକାରରୁ ଜନଗଣଙ୍କୁ ବଞ୍ôଚତ କରି ମନୁବାଦୀ ଶାସନ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରି ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହାକୁ ଦେଶବାସୀ ବିରୋଧ କରିବା ଦରକାର । ଦେଶବାସୀ ସମ୍ବିଧାନ ପ୍ରତି ସଚେତନ ହେବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ବଳରାମ ମଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିଲେ ଅଧ୍ୟାପକ ଲଲାଟେନ୍ଦୁ ମଲିକ । ଧନ୍ୟବାଦ ଦେଇଥିଲେ ମନୋଜ ଜେନା । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଚିତ୍ରାନନ୍ଦ ଜେନା, ଅକ୍ଷୟ କୁମାର ମଳିକ, ବିନୋଦ ସାହୁ, ବିକାଶ ନାଥ, ବିଶ୍ୱନାଥ ଜେନା, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।