Odiapua.com

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ମାତ୍ର ୧୦୦ ଟଙ୍କା ପାଇଁ ହତ୍ୟା

ଝାରସୁଗୁଡ଼ା ୨୭ ଜୁନ୍ (ଓଡିଆ ପୁଅ) ୧୦୦ ଟଙ୍କା ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା। ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଝାରସୁଗୁଡା ଜିଲ୍ଲାର କୁଆରମଲ ଗ୍ରାମରେ ଥିବା ତାଙ୍କ ବାସଭବନରେ ଜଣେ ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଇଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ। ଉକ୍ତ ବ୍ୟକ୍ତି ବେଡ୍‌ରୁମ୍‌କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ଭାଇ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହା ପରେ ସେ ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଝାରସୁଗୁଡା ଏସପି ବିସି ଦାସ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।