Odiapua.com

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଆବଶ୍ୟକ ଷ୍ଟାଫ ନର୍ସ ନିଯୁକ୍ତି ଦାବି

ସମ୍ବଲପୁର, ୧ା୮(ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ ନର୍ସର ଅଭାବ ରହିଛି। ତେଣୁ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଶେଷ ଅସୁବିଧା ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟକ ନର୍ସ ନ ଥିବାରୁ ଅଧିକ ଘଣ୍ଟା ସେମାନଙ୍କୁ ଡ୍ୟୁଟି କରିବାକୁ ପଡୁଛି। ଏହାର ପ୍ରତିକାର ସହିତ ଆବଶ୍ୟକ ଷ୍ଟାଫ ନର୍ସ ନିଯୁକ୍ତି କରିବାକୁ ଓଡିଶା ନର୍ସିଂ କର୍ମଚାରୀ ସଂଘ, ସମ୍ବଲପୁର ଶାଖା ପକ୍ଷରୁ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପଙ୍କଜିନୀ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ୍ୟ ରହିଛି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ଟି ଷ୍ଟାଫ ନର୍ସ ପଦବୀ ରହିଛି। କିନ୍ତୁ ଏଥି ମଧ୍ୟରୁ ୨୨ ଜଣ ଷ୍ଟାଫ ନର୍ସ ପଦବୀ ପୂରଣ ଥିବା ବେଳେ ୮ଟି ପଦବୀ ଖାଲି ପଡିଛି। ଆବଶ୍ୟକ ସଂଖ୍ୟକ ପଦବୀ ଖାଲି ଥିବାରୁ ସେମାନେ ଚାପଗ୍ରସ୍ତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ଆଗାମୀ ୭ ଦିନ ମଧ୍ୟରେ ଆବଶ୍ୟକ ପଦବୀ ପୂରଣ କରିବା ପାଇଁ ଦାବି କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏଥିରେ ସଭାପତି କଲାବତୀ ତନ୍ତୀ, ଉପସଭାପତି ଅର୍ନ୍ତର୍ଯ୍ୟାମୀ ନାୟକ, ସାଧାରଣ ସମ୍ପାଦିକା ବିଲାସ ତାଣ୍ଡିଆ, କୋଷାଧ୍ୟକ୍ଷ କନକଲତା ସାହୁ ପ୍ରମୁଖଙ୍କ ସ୍ୱାକ୍ଷର ରହିଛି।