Odiapua.com

ସମ୍ବଲପୁର ଜ଼ିଲ୍ଲାର ଝାଙ୍କରପାଲି ପଞ୍ଚାୟତରେ ସର୍ବାଧିକ ୨୭ ଜଣ ସରପଞ୍ଚ ପ୍ରାର୍ଥୀ, ରାଜ୍ୟରେ ରେକର୍ଡ

ସମ୍ବଲପୁର, ୦୫/୦୨ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଚଳିତ ନିର୍ବାଚନରେ ସର୍ବାଧିକ ୨୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ନିର୍ବାଚନରେ ରାଜ୍ୟରେ ରେକର୍ଡ ବୋଲି କୁହାଯାଇଛି। ୨୭ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ରହିଛନ୍ତି। ଗତ ନିର୍ବାଚନରେ ବିଜେପି ଟିକଟ୍‌ରେ ରେଙ୍ଗାଲି ଜ଼ିଲ୍ଲାପରିଷଦ ଜୋନ୍-୨ ରୁ ବିଜୟୀ ହୋଇଥିବା ବିଜେପି ନେତ୍ରୀ ସୁଶ୍ରୀ ଉତ୍ପଲା ଧୂରୁଆ, ପୂର୍ବତନ ସମିତି ସଭ୍ୟ ସନାତନ ମିର୍ଦ୍ଧା, ପୂର୍ବତନ ସରପଞ୍ଚ ଫକୀର ମୋହନ ସାହୁ ପ୍ରମୁଖ ଏହି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ଠିକ ସେହିପରି ଏହି ପଞ୍ଚାୟତର ସମିତିସଭ୍ୟ ପଦ ପାଇଁ ସମୁଦାୟ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ପାର୍ଥି ମହିଳା ଥିବା ବେଳେ ଅବଶିଷ୍ଟ ୫ ଜଣ ପୁରୁଷ ରହିଛନ୍ତି। ୧୯୬୭ ମସିହାରେ ଗଠିତ ହୋଇଥିବା ଝାଙ୍କରପାଲି ପଞ୍ଚାୟତରେ ସମୁଦାୟ ୧୧ ଟି ୱାର୍ଡ ରହିଛି। ପଞ୍ଚାୟତର ସମୁଦାୟ ଜନସଂଖ୍ୟା ୬୩୯୦ ରହିଥିବା ବେଳେ ଭୋଟର ସଂଖ୍ୟା ୫୦୫୯। ପଞ୍ଚାୟତରେ ୫୧୮ ଜଣ ଅନୁସୂଚିତ ଜାତି ସମ୍ପ୍ରଦାୟର ଥିବା ବେଳେ ୩୫୭୦ ଜଣ ଅନୁସୂଚିତ ଜନଜାତି ଏବଂ ୧୯୦୨ ଜଣ ଅନ୍ୟାନ୍ୟ ବର୍ଗର ରହିଛନ୍ତି। ଝାଙ୍କରପାଲି ପଞ୍ଚାୟତ ର ଉଭୟ ସରପଞ୍ଚ ଓ ସମିତି ସଭ୍ୟ ସଂରକ୍ଷଣ ଚଳିତ ବର୍ଷ ଅଣସଂରକ୍ଷିତ ରହିଛି। ଏହି ପଞ୍ଚାୟତର ଅନେକ ଗାଁକୁ ନିତିଦିନିଆଁ ରାସ୍ତା ନାହିଁ। ଅନେକ ଗ୍ରାମରେ ଗ୍ରୀଷ୍ମଋତୁରେ ଉତ୍କଟ ପିଇବା ଏବଂ ଗାଧୋଇବା ପାଣି ସମସ୍ୟା ଲାଗି ରହୁଛି। ଏହି ପଞ୍ଚାୟତର ଝାଙ୍କରପାଲି, ସର୍ଗିପାଲି, କଟାପାଲି ଏବଂ ବାସୁପାଲି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ କୌଣସି ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାନୀୟ ଜଳଯୋଗାଣ ବ୍ୟବସ୍ଥା ନାହିଁ। ଅନେକ ମୌଳିକ ଜନ ସମସ୍ୟାର ପ୍ରତିକାର ତଥା ସମାଧାନ ଦୀର୍ଘ ବର୍ଷ ଧରି ହୋଇ ପାରିନ ଥିବାରୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏସବୁର ସମାଧାନ ଏକ ବଡ଼ ଆହ୍ବାନ ହେବ। ତେବେ ରାଜ୍ୟର ଗୋଟିଏ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ୨୭ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ରେକର୍ଡ ନେଇ ଝାଙ୍କରପାଲି ପଞ୍ଚାୟତ ଏବେ ଚର୍ଚ୍ଚାର ବିଷୟ ହୋଇଛି।