Odiapua.com

ସମ୍ବଲପୁରରୁ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଭଲ୍ଭୋ ଏସି ସିଟୀ ବସ ସେବା ପ୍ରବର୍ତ୍ତନ ଦାବି

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଗତିବିଧି ବଢ଼ିବାରେ ଲାଗିଛି। ଏଠାରୁ ଉଡ଼ାଣ ଭରୁଥିବା ବିମାନଗୁଡ଼ିକ ସକାଶେ ଯଥେଷ୍ଟ ସଂଖ୍ୟାରେ ଯାତ୍ରୀ ହେଉଛନ୍ତି। ଖୁବଶୀଘ୍ର ଏଠାରେ ବିମାନ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉପଯୋଗ ସକାଶେ ସମ୍ବଲପୁରରୁ ପ୍ରତିଦିନ କିଛି ଲୋକ ସେଠାକୁ ଯାଉଛନ୍ତି। ତେବେ ଅଳ୍ପ କେଇଜଣ ଟ୍ରେନ୍ରେ ଝାରସୁଗୁଡ଼ା ଯାଇ ରେଳ ଷ୍ଟେସନରୁ ଟେକ୍ସି କିମ୍ବା ଅଟୋ ରିକ୍ସା ଯୋଗେ ବିମାନବନ୍ଦରରେ ପହଞ୍ଚୁଥିବା ବେଳେ ଅନ୍ୟମାନେ ସିଧାସଳଖ ସମ୍ବଲପୁରରୁ ଟେକ୍ସିରେ ଯାଉଛନ୍ତି। ଝାରସୁଗୁଡ଼ା ବିମାନବନ୍ଦରରେ କେବଳ ପହଞ୍ଚେଇବା ବାବଦକୁ ଟେକ୍ସି ପାଇଁ ୧୫ ଶହରୁ ୧୭ ଶହଟଙ୍କା ଭଡ଼ା ଏବଂ ଏହା ଉପରେ ଟୋଲ ଟିକସ ଦେବାକୁ ପଡ଼ୁଛି। ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବା ନୂତନ ବିମାନ ସେବା ବାବଦରେ ଝାରସୁଗୁଡ଼ାରୁ ରାୟପୁରର ବେସିକ୍ ଦେୟ ପରିମାଣ ମାତ୍ର ୧୭୭୧ ଟଙ୍କା ହୋଇଥିବା ବେଳେ ଟେକ୍ସି ବାବଦକୁ ସେଇ ପରିମାଣର ଅର୍ଥ ପ୍ରଦାନ ଲୋକଙ୍କ ପାଇଁ ବାଧକର ହୋଇଛି। ବର୍ତ୍ତମାନ ତିନୋଟି ସ୍ଥାନକୁ ବିମାନ ଯାଉଛି। ଖୁବଶୀଘ୍ର ଏଠାରୁ ଆଉ ଦୁଇଟି ସ୍ଥାନକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଏଭଳି ଅବସ୍ଥାରେ ସମ୍ବଲପୁରରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଭଲଭୋ ଏସି ସିଟି ବସ ସର୍ଭିସର ବ୍ୟବସ୍ଥା କରିବା ପାଇଁ ପ୍ରକୃଷ୍ଟ ସମୟ ଆସି ପହଞ୍ଚିଛି। ଝାରସୁଗୁଡ଼ାରୁ ଦିଲ୍ଲୀକୁ ୧୫.୪୦ରେ ଅର୍ଥାତ ୩ଟା ୪୦ରେ, ହାଇଦ୍ରାବାଦକୁ ୧୬.୧୦ରେ ଅର୍ଥାତ ୪ଟା ୧୦ରେ ଏବଂ କଲିକତାକୁ ରାତି ୮ଟା ୪୦ରେ ବିମାନ ଉଡ଼ୁଛି। ଆସନ୍ତା ୧ ତାରିଖ ଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ପାଇଁ ପୂର୍ବାହ୍ନ ୧୦ଟା ୫୫ରେ ଏବଂ ରାୟପୁର ସକାଶେ ୧୭ଟା ୩୦ ଅର୍ଥାତ ୫ଟା ୩୦ରେ ବିମାନ ଉଡ଼ିବ। ଏହି ସବୁ ବିମାନ ସେବା ସକାଶେ ରିପୋର୍ଟିଂ ଟାଇମକୁ ଆଖି ଆଗରେ ରଖି ଯେଭଳି ବସ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ପାରିବ ସେଥି ସକାଶେ ସମ୍ବଲପୁରରୁ ନିୟମିତ ଭଲ୍ଭୋ ଏସି ସିଟୀ ବସ ସେବା ପ୍ରବର୍ତ୍ତନ କରାଯିବାକୁ ଦାବି ହେଉଛି। ଝାରସୁଗୁଡ଼ାରେ ଆସି ପହଞ୍ଚୁଥିବା ବିମାନଗୁଡ଼ିକର ଯାତ୍ରୀମାନେ ମଧ୍ୟ ଏହି ବସ ସେବାର ସୁଯୋଗ ନେଇ ଝାରସୁଗୁଡ଼ାରୁ ସମ୍ବଲପୁରକୁ ସୁବିଧାରେ ଆସି ପାରିବେ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।