Odiapua.com

ସମ୍ବର୍ଦ୍ଧନା ସଭାରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ: ୧୨୦ + ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବ ବିଜେପି – ଧର୍ମେନ୍ଦ୍ର ପ୍ରଧାନ

– ଗରିବ ଓଡିଆ ପୁଅ ପ୍ରତାପ ନନାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇ ନରେନ୍ଦ୍ର ମୋଦି ସାଢେ ୪ କୋଟି ଓଡିଆ ଲୋକଙ୍କ ସମ୍ମାନ କରିଛନ୍ତି
– ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜିି ବିଜେପି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଭାବେ ଉଭା ହୋଇଛି
– ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଉଥିବା ଲୋକମାନଙ୍କୁ ଓଡିଆ ଲୋକମାନେ ଏଥର ଜବାବ ଦେଇଛନ୍ତି
– ଓଡିଶାର ଗରିବ ଲୋକଙ୍କ ପ୍ରତି ଥିବା ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱକୁ ଏଠାକାର ବିରୋଧୀ ଦଳ ପୂରଣ କରିବ
– ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିବ
– କେନ୍ଦ୍ର କିମ୍ବା ରାଜ୍ୟ, ଓଡିଆ ଲୋକଙ୍କ କଲ୍ୟାଣ ସମସ୍ତଙ୍କ ଅଗ୍ରଭାଗରେ ରହିବା ଦରକାର
– ମାଲକାନଗିରି, ମୟୁରଭଞ୍ଜ ଭଳି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଛନ୍ତି

ଭୁବନେଶ୍ୱର, ଜୁନ ୦୮ (ଓଡ଼ିଆ ପୁଅ) – ରାଜନୈତିକ କାର୍ଯ୍ୟକର୍ତା ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାରଧାରା ଅନୁଯାୟୀ ଅକ୍ତିଆର ନକରିପାରେ, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର। ୧୨୦ + ମିଶନ ସେହି ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ଏବଂ ବିଜେପି ଏହି ଦାୟିତ୍ୱରୁ ମୁକ୍ତି ହୋଇପାରିବ ନାହିଁ ବୋଲି ଭୁବନେଶ୍ୱର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ରେ ଦେଶରେ ମୋଦିଙ୍କ ନାଁରେ ବଡ ଆସ୍ଥା ତିଆରି ହୋଇପାରିନଥିଲେ ମଧ୍ୟ ଓଡିଶାରେ ବିଜେପି ଆପେକ୍ଷିତ ଫଳ ହାସଲ କରିପାରିନଥିଲା। ମାତ୍ର ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜିି ବିଜେପି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଭାବେ ଉଭା ହୋଇପାରିଛି। ଓଡିଶାରେ ପ୍ରଥମ ଥର ପାଇଁ ପାଖାପାଖି ୧ କୋଟି ଲୋକ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ବିଜେପିର ୮ ଜଣଙ୍କୁ ସାଂସଦ ଭାବେ ଦିଲ୍ଲୀ ପଠାଇଛନ୍ତି। ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଉଥିବା ଲୋକମାନଙ୍କୁ ଓଡିଆ ଲୋକମାନେ ଏଥର ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ଶପଥ ପାଠ ଉତ୍ସବରେ ମୋଦିଙ୍କ ପରେ ଗରିବ ଘରର ଓଡିଆ ପୁଅ ପ୍ରତାପ ଷଡଙ୍ଗୀଙ୍କ ସମୟରେ ସବୁଠୁ ଅଧିକ ତାଳି ବାଜିଥିଲା। ତେବେ ଏହା କେବଳ ଶ୍ରୀ ଷଡଙ୍ଗୀଙ୍କ ସମ୍ମାନର କଥା ନୁହେଁ। ପ୍ରତାପ ନନାଙ୍କ ମାଧ୍ୟମରେ ନରେନ୍ଦ୍ର ମୋଦି ସାଢେ ୪ କୋଟି ଓଡିଆ ଲୋକଙ୍କ ସମ୍ମାନ କଲେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାରେ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କା ଏବଂ ବାତ୍ୟାର ଦାବି ପୂବରୁ ୧ ହଜାର କୋଟି ଟଙ୍କା ସହ ଓଡିଶାର ପୁନନିର୍ମାଣ ପାଇଁ ଯାହା ଆବଶ୍ୟକତା ପଡିବ ମୋଦିଙ୍କ କେନ୍ଦ୍ର ସରକାର ଆଗଭର ରହିବ, ଏହା କେବଳ ବକ୍ତବ୍ୟ ନଥିଲା। ଏହାକୁ କ୍ରିୟାନ୍ୱୟନ କରିବା କାମକୁ ସାକାର କରାଯାଇଥିଲା। ସେଭଳି ନେତାର ନାମ ହେଲା ନରେନ୍ଦ୍ର ମୋଦି। ସେହିଭଳି ଯେ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇନାହିଁ ସେ ପର୍ଯ୍ୟନ୍ତ ସାରା ଭାରତ ବିକଶିତ ହୋଇପାରିବନି ବୋଲି ସ୍ଲୋଗାନ କେବଳ ଭାଷଣବାଜୀରେ ସୀମିତ ରହିନଥିଲା। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରାଯାଇଥିଲା। ଏହି ପୂର୍ବ ଭାରତର ବିକାଶର କେନ୍ଦ୍ରବିନ୍ଦୁ ମଧ୍ୟରେ ସବୁଠାରୁ ଓଡିଶା ଆଗରେ ଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଗରିବ ଲୋକଙ୍କ ପ୍ରତି ଥିବା ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱକୁ ଏଠାକାର ବିରୋଧୀ ଦଳ ପୂରଣ କରିବ। ସେହିପରି ଓଡିଆ ଲୋକଙ୍କ ହିତ ସମ୍ପର୍କରେ ୮ ସାସଂଦ ଓ ରାଜ୍ୟସଭା ସାଂସଦ ସଂସଦରେ ସତର୍କ ଦୃଷ୍ଟି ରଖିବେ।

ଆଜି ଭାରତର ଗରିବ ଲୋକଙ୍କ ଆଶୀର୍ବାଦ କାରଣରୁ ବିଜେପି ୩୦୩କୁ ଛୁଇଁପାରିଛି। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା ଜନଆସ୍ଥା ବିଶ୍ୱସ୍ଥାପିତ ହୋଇପାରିଛି।ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଶୌଚାଳୟ ନିର୍ମାଣ, ୪ କୋଟି ଲୋକଙ୍କ ଘରେ ବିଦ୍ୟୁତ ପହଁଚାଇବାର ଦାୟିତ୍ୱ ନରେନ୍ଦ୍ର ମୋଦି ନେଇଥିବାର ସ୍ପଷ୍ଟ ପ୍ରତିଫଳିତ ଚଳିତ ନିର୍ବାଚନ ଫଳାଫଳରେ ଦେଖାଯାଇଛି। ମାଲକାନଗିରି, ମୟୁରଭଞ୍ଜ ଭଳି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଛନ୍ତି।

ଓଡିଶାରେ ବିଜୁ ଜନତା ଦଳ ସରକାର ଗଢିଥିବାରୁ ବିଜେଡି ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିବ। କେନ୍ଦ୍ର ହେଉ କିମ୍ବା ରାଜ୍ୟ ଓଡିଆ ଲୋକଙ୍କ କଲ୍ୟାଣ ସମସ୍ତଙ୍କ ଅଗ୍ରଭାଗରେ ରହିବା ଦରକାର ଏବଂ ଏହା ସମସ୍ତଙ୍କ ଦାୟିତ୍ୱରେ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।