Odiapua.com

ସମ୍ପୃକ୍ତି ପରିସ୍ଥିତି ରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସପକ୍ଷରେ ନାହିଁ ଅଭିଭାବକ ସଂଘ ଓପାଫ

ଭୁବନେଶ୍ୱର ୨୯-୧୨ (ଓଡ଼ିଆ ପୁଅ) ରାଜ୍ୟରେ କାରୋନା ପୁଣି କାୟା ବିସ୍ତାର ଆରମ୍ଭ କରିବା ସମୟରେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀ ଗୁଡିକ ଖୋଲିବା ନିଷ୍ପତ୍ତି ସପକ୍ଷରେ ନାହିଁ ଅଭିଭାବକ ସଂଘ ଓପାଫ। ବିଶେଷକରି ଘରୋଇ ସ୍କୁଲ ଗୁଡିକରେ ମାତ୍ରାଧିକ ପିଲାଙ୍କ ସମାଗମ ହେତୁ କାରୋନା ଗାଇଡଲାଇନ କୌଣସି ସ୍କୁଲ ପାଳନ କରିପାରିବେ ନାହିଁ। ଘରୋଇ ସ୍କୁଲ ଗୁଡିକର ନିରାପଦ ପ୍ରତି ସରକାରଙ୍କର କୌଣସି କଟକଣା ନଥିବାରୁ ଘରୋଇ ସ୍କୁଲ ଗୁଡିକରେ ପିଲାମାନେ ନିରାପଦ ରହିବେ ବୋଲି ସନ୍ଦେହରେ ଅଭିଭାବକ ମାନେ ଅଛନ୍ତି। ସରକାରଙ୍କ ନିରାପଦ ସର୍ତ୍ତାନୁସାରେ NOC ପ୍ରାୟତଃ ଆଜି ପର୍ଯ୍ୟନ୍ତ କୌଣସି ସ୍କୁଲ ହାସଲ କରି ନଥିବା ବେଳେ ଆଜି କୋଭିଡ ସର୍ତ୍ତାବଳୀକୁ କୌଣସି ସ୍କୁଲ ମାନିବ, ତାହା ବିଶ୍ଵାସ କରିପାରୁନାହାନ୍ତି କୌଣସି ଅଭିଭାବକ।

କୋମଳ ମତି ଛାତ୍ର ଛାତ୍ରୀମାନେ କଦାପି କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବରେ ମାନି ପାରିବେ ନାହିଁ। ତେଣୁ ନୂଆ ଶିକ୍ଷା ବର୍ଷ (ମାତ୍ର ତିନିମାସ ପରେ) ଆରମ୍ଭ ହେଲା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ବାଞ୍ଛନୀୟ। ଏବେ ମଧ୍ୟ ଷଷ୍ଠ ରୁ ଦଶମ ଯାଏଁ ସବୁ ପିଲା ବିଦ୍ୟାଳୟ ଯିବା ପାଇଁ ବାପା ମା ରାଜି ହୋଇ ପାରୁ ନାହାଁନ୍ତି। କୌଣସି ସ୍କୁଲର ପିଲାମାନେ ପ୍ରଭାବିତ ହେଲେ ତାହା ଚପାଇ ଦିଆଯାଉଥିବାର ନଜରକୁ ମଧ୍ୟ ଆସିଛି। ଫେବ୍ରୁଆରି ରେ ତୃତୀୟ ଲହରି ଆସୁଛି ବୋଲି ବିଶେଷଜ୍ଞ ମାନେ ସତର୍କ କରାଇସାରିଲେଣି। ମାତ୍ର ଦୁଇଦିନ ତଳେ ଯେଉଁ ମନ୍ତ୍ରୀ କହିଲେ ଦଶମ ବୋର୍ଡ ପରୀକ୍ଷା ହୋଇ ପାରିବ କି ନାହିଁ ଠିକ୍ ନାହିଁ, ସେହି ମନ୍ତ୍ରୀ ପୁଣି ଆଜି କେମିତି ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନେଲେ ? କେତକ ପ୍ରଭାବୀ ଘରୋଇ ସ୍କୁଲ, ପିଲାମାନଙ୍କ ଠାରୁ ସହଜ ଉପାଯରେ ପଇସା ଆଦାୟ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଏହି ନିଷ୍ପତ୍ତି ନିଆ ଯାଇଥିବାର ଅନୁମାନ କରାଯାଉଛି।

ପିଲାମାନେ କୋଭିଡ ସଂକ୍ରମଣ ର ତୀବ୍ର ବାହାକ ହୋଇପାରୁଥିବାରୁ, ଅନ୍ତତଃ ଏହି ପରିସ୍ଥିତିରେ ନୂଆ ସେସନ ପର୍ଯ୍ୟନ୍ତ ଅଭିଭାବକମାନେ ପ୍ରାଇମେରୀ ଏବଂ ପ୍ରୀ-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ନ ଛାଡିବାକୁ ଓପାଫ ସମସ୍ତ ଅଭିଭାବକ ମାନଙ୍କୁ ଅନୁରୋଧ କରିଛି।